ହୁମରରେ ସାହିତ୍ୟ ଓ ସାଂସ୍କୃତିକ ସମାରୋହ: ‘ଭାବ ମାଧୁରୀ’ ପୁସ୍ତକ ଉନ୍ମୋଚିତ

ଛତ୍ରପୁର, (ଓ୍ବାଇଏନଏସ): ଶ୍ରୀ ଶ୍ରୀ ଶ୍ରୀ ନିତାଇ ଗୌର ମହାପ୍ରଭୁ ଚାରିଟେବଲ ଟ୍ରଷ୍ଟ, ହୁମର ଏବଂ ସୃଜନ ସାହିତ୍ୟ ସଂସ୍କୃତି ସଂସଦ, ଛତ୍ରପୁରର ମିଳିତ ଆନୁକୂଲ୍ୟରେ ହୁମରସ୍ଥିତ ଶ୍ରୀ ନିତାଇ ଗୌର ମହାପ୍ରଭୁ ମନ୍ଦିର ପରିସରରେ ସାହିତ୍ୟ ଓ ସାଂସ୍କୃତିକ ସମାରୋହ ସହ ମାସିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସୃଜନ ସାହିତ୍ୟ ସଂସ୍କୃତି ସଂସଦର ସଭାପତି ଡ. ପ୍ରଶାନ୍ତ କୁମାର ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ ସମାରୋହରେ ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ସୁରେନ୍ଦ୍ର ପାଢ଼ୀ, ଶିଶୁ କବି ନିରଞ୍ଜନ ତ୍ରିପାଠୀ, ସମ୍ପାଦକ ସୋମନାଥ ସାହୁ ଏବଂ ଟ୍ରଷ୍ଟ ସଭାପତି ଉଦୟନାଥ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଶୈଳବାଳା ପାଣିଗ୍ରାହୀଙ୍କ ରଚିତ ‘ଭାବ ମାଧୁରୀ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ମାସିକ କବିତା ଆସରରେ ୩୦ରୁ ଊର୍ଦ୍ଧ୍ୱ କବି-କବୟିତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ। ସେହିପରି ଅନ୍ତର୍ଜାତୀୟ ନୃତ୍ୟଗୁରୁ ଅଳକା ସାହୁଙ୍କ ଶିଷ୍ୟ ନୃତ୍ୟଗୁରୁ କେଶବ ବେହେରାଙ୍କ ନେତୃତ୍ୱରେ କୁନି କଳାକାରମାନେ ଆକର୍ଷଣୀୟ ସାଂସ୍କୃତିକ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲେ। ଅନୁଷ୍ଠାନ ପକ୍ଷରୁ ନୃତ୍ୟଗୁରୁ କେଶବ ବେହେରା ଓ କୁନି କଳାକାରମାନଙ୍କୁ ଉପହାର ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ନିତାଇ ଗୌର ଯୁବକ ସଂଘ ପକ୍ଷରୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଡ. ପ୍ରଶାନ୍ତ କୁମାର ଶତପଥୀ, ସୋମନାଥ ସାହୁ, ନିରଞ୍ଜନ ତ୍ରିପାଠୀ, ଶୈଳବାଳା ପାଣିଗ୍ରାହୀ, ରୀତା ରଥ, ଉମାକାନ୍ତ ବେହେରା ଓ ବାସନ୍ତିଲତା ସ୍ୱାଇଁଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଉମାକାନ୍ତ ବେହେରା ଓ ଲକ୍ଷ୍ମୀ ବେହେରାଙ୍କ ସକ୍ରିୟ ସହଯୋଗରେ ଆୟୋଜିତ ଏହି ସମାରୋହରେ ହୁମର ଗ୍ରାମର ବହୁ ଗ୍ରାମବାସୀଙ୍କ ସମେତ ସନ୍ତୋଷ ବଡ଼ତ୍ୟା, ମାଧବ ମହାପାତ୍ର, ନରେନ୍ଦ୍ର ପଣ୍ଡା, ରାମଚନ୍ଦ୍ର ନନ୍ଦ, ଶରତ ମହାପାତ୍ର, ଚିତ୍ତରଞ୍ଜନ ପଣ୍ଡା, ଦୁର୍ଗାଚରଣ ପଲାଇ, ଯତିରାଜ ନାୟକଙ୍କ ସମେତ ବହୁ ସାହିତ୍ୟିକ, କବି, ସଂସ୍କୃତିପ୍ରେମୀ, ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ