ମରାମତି ହେଉନି ତୋଟାସାହି ଗ୍ରାମ୍ୟ ରାସ୍ତା, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ
ବନ୍ତ, (ଚାନ୍ଦିନୀ ମହାନ୍ତି): ଭଦ୍ରକ ଜିଲା ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ତୋଟାସାହି ପ୍ରାଥମିକ ବିଦ୍ୟାଳୟ ଠାରୁ ସନାତନ ବେହେରାଙ୍କ ଘର ପର୍ଯ୍ୟନ୍ତ ପ୍ରାୟ ୧୫୦ ମିଟର ରାସ୍ତା ଆଦୌ ମରାମତି କରାଯାଉନାହଁ। ଫଳରେ ବର୍ଷା ଦିନେ ଲୋକ ମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ଏହି ରାସ୍ତା ଉପରେ ପ୍ରାୟ ଶହେରୁ ଅଧିକ ଗ୍ରାମବାସୀ ନିର୍ଭର କରି ଚଳି ଆସୁଛନ୍ତି। ଏହି ରାସ୍ତା ଦେଇ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ପିଲାମାନେ ସ୍କୁଲ, କଲେଜ ଆଦିକୁ ଯାତାୟାତ କରିଥାନ୍ତି। ମାତ୍ର ଏହି ରାସ୍ତାରେ କେବେ କୌଣସି ଦିନ ମୋରମ ମୁଠାଏ ମଧ୍ୟ ପକାଯାଇନାହିଁ। ଫଳରେ ବର୍ଷା ଦିନେ ଏହି ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡେ। ଲୋକମାନେ ପାଣି କାଦୁଅରେ ବହୁ କଷ୍ଟରେ ଯାତାୟାତ କରିଥାନ୍ତି। ଜରୁରୀ କାଳୀନ ସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଦମକଳ ମଧ୍ୟ ଗ୍ରାମ ମଧ୍ୟକୁ ଆସିପାରୁନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ସବୁ ଗ୍ରାମକୁ ପକ୍କା ଓ ପିଚୁ ରାସ୍ତା ନିର୍ମାଣ କରାଇବାର ବ୍ୟବସ୍ଥା କରିଥିବା ବେଳେ ଉକ୍ତ ଗ୍ରାମର ଏହି ରାସ୍ତା ଉପରେ କାହାର ନଜର ପଡୁନାହିଁ। ଫଳରେ ଲୋକମାନେ ଭାଗ୍ୟକୁ ଆଦରି ବହୁ କଷ୍ଟରେ ଯାତାୟାତ କରୁଥିବା କହିଛନ୍ତି। ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସନାତନ ବେହେରା, ମାନସୀ ବେହେରା, କଣକଲତା ବେହେରା, ହେମନ୍ତ ବେହେରା, ଶଙ୍କର୍ଷଣ ବେହେରା, କାର୍ତ୍ତିକ ବେହେରା, ରାଜେଶ ବେହେରା, ବସନ୍ତ ବେହେରା, କେଶବ ବେହେରା ପ୍ରମୁଖ ଗଣ ମାଧ୍ୟମ ଜରିଆରେ ଦାବୀ କରିଛନ୍ତି।


