ଜାତୀୟ ଆୟୁର୍ବେଦ ଦିବସରେ ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିର
କୁକୁଡାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା): ୧୧ତମ ଜାତୀୟ ଆୟୁର୍ବେଦ ଦିବସ ଅବସରରେ ଗୁରୁଣ୍ଠି ପଞ୍ଚାୟତ କାର୍ଯ୍ୟାଳୟରେ ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଶିବିରଟି ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ଚଳିତ ବର୍ଷର ଥିମ୍ ସୁସ୍ଥ ଆସନ୍ତାକାଲି ପାଇଁ ଆୟୁର୍ବେଦ ଏବଂ ବାର୍ତ୍ତା ଆୟୁର୍ବେଦ ସହ ସୁସ୍ଥ ଲୋକ, ସୁସ୍ଥ ରାଷ୍ଟ୍ର ରହିଥିଲା। ସ୍ୱାସ୍ଥ୍ୟ ଶିବିରଟି କେ.ଏ.ଟି.ଏସ୍. ଆୟୁର୍ବେଦିକ୍ କଲେଜ ଓ ହସ୍ପିଟାଲ, ଗଞ୍ଜାମ, ଓଡ଼ିଶା ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ଆୟୁଷ ନିର୍ଦ୍ଦେଶାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ଏବଂ ସ୍ପନ୍ଦନ ଫାଉଣ୍ଡେସନ୍ ଟ୍ରଷ୍ଟ ବ୍ରହ୍ମପୁର ପକ୍ଷରୁ ସହଯୋଗରେ ହୋଇଥିଲା। ଗୁରୁଣ୍ଠି ଓ ଏହାର ଆଖପାଖ ଅଞ୍ଚଳର ଲୋକମାନଙ୍କୁ ସହଜରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଶିବିରରେ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା, ଆୟୁର୍ବେଦିକ୍ ଚିକିତ୍ସା ପରାମର୍ଶ, ଜୀବନଶୈଳୀ ଓ ଖାଦ୍ୟପେୟ ସମ୍ପର୍କିତ ପରାମର୍ଶ, ନିଶୁକ୍ଳ ଆୟୁର୍ବେଦିକ୍ ଔଷଧ ଏବଂ ମାଗଣା ଚିକିତ୍ସା ପରୀକ୍ଷା ପ୍ରଦାନ କରାଯାଇଥିଲା।


