ଆସିକା ସମବାୟ ଚିନିଶିଳ୍ପ ଲିଃକୁ ମିଳିଲା ଜାତୀୟ ଦକ୍ଷତା ପୁରସ୍କାର

ଆସିକା(ୱାଇଏନ୍‍ଏସ୍‍) : ଗଞ୍ଜାମ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ରୂପେ ସୁଖ୍ୟାତି ଅର୍ଜନ କରିଆସିଥିବା ଆସିକା ସମବାୟ ଚିନିଶିଳ୍ପ ଲିଃର ପରିସରଭୁକ୍ତ ଅଞ୍ଚଳର ଆଖୁଚାଷର ବହୁଳ ପ୍ରସାର ଏବଂ ଆଖୁଚାଷୀମାନଙ୍କୁ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ଲାଗି ଶିଳ୍ପାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଏବଂ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାରେ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ସମବାୟପ୍ରେମୀ ମହଲରେ ଆଲୋଚିତ ହେଉଛି । ସମବାୟ ଭିତ୍ତିରେ ପରିଚାଳିତ ହୋଇଆସୁଥିବା ଏହି ପୁରାତନ ସମବାୟ ଅନୁଷ୍ଠାନକୁ ୨୦୨୫-୨୬ ଆର୍ଥିକବର୍ଷ ସକାଶେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ମଙ୍ଗଳବାର ନୂଆଁଦିଲ୍ଲୀରେ ଜାତୀୟ ସମବାୟ ଚିନିଶିଳ୍ପ ମହାସଂଘ ପକ୍ଷରୁ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ଜାତୀୟ ଦକ୍ଷତା ପୁରସ୍କାର ପ୍ରଦାନ କରାଯାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଆସିକା ସମବାୟ ଚିନିଶିଳ୍ପ ଲିଃର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା ଯୋଗଦେଇ କେନ୍ଦ୍ରମନ୍ତ୍ରୀ ନୀତିନ୍‍ ଗଡକରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିବା ଜଣାପଡିଛି । ନୂଆଁଦିଲ୍ଲୀରେ ଆୟୋଜିତ ସର୍ବଭାରତୀୟ ପୁରସ୍କାର ପ୍ରଦାନ ଉତ୍ସବରେ ଜାତୀୟ ଦକ୍ଷତା ପୁରସ୍କାରରେ ଆସିକା ସମବାୟ ଚିନିଶିଳ୍ପ ସମ୍ମାନିତ ହେବା ନିଶ୍ଚିତ ଭାବେ ଗର୍ବ ଓ ଗୌରବ ବିଷୟ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ସମବାୟ କ୍ଷେତ୍ରରେ ଆସିକା ସମବାୟ ଚିନିଶିଳ୍ପ ସମଗ୍ର ଭାରତବର୍ଷରେ ଗତ ଆର୍ଥିକବର୍ଷ ୨୦୨୫-୨୬ ରେ ମହତ୍ୱପୂର୍ଣ୍ଣ ଯୋଗଦାନ ସାଙ୍ଗକୁ ଆଖୁଚାଷ ପାଇଁ ସର୍ବାଧିକ ମୂଲ୍ୟ ଏକର ପିଚ୍ଛା ୪ ହଜାର ଟଙ୍କା ଆଖୁଚାଷୀମାନଙ୍କୁ ପ୍ରଦାନ କରି ଆଖୁଚାଷୀମାନଙ୍କ ମନୋବଳକୁ ବୃଦ୍ଧି କରିବାରେ ସକ୍ଷମ ହୋଇପାରିଛି । ଆଖୁଚାଷୀମାନଙ୍କ ଆଖୁଚାଷ କରିବା ସକାଶେ ଆଗ୍ରହ ସୃଷ୍ଟି ପାଇଁ ଆସିକା ସମବାୟ ଚିନିଶିଳ୍ପ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସାଙ୍ଗକୁ ପଞ୍ଜିକୃତ ଆଖୁଚାଷୀମାନଙ୍କୁ ସାର, ବିହନ ଓ କୀଟନାଶକ ଔଷଧ ଯୋଗାଉଥିବା ମଧ୍ୟ ଜଣାପଡିଛି । ବୈଜ୍ଞାନିକ ପଦ୍ଧତିରେ ଉନ୍ନତମାନର ଆଖୁଚାଷ କରି ଅଧିକ ଅମଳ ଉପଯୋଗୀ ଓ ସର୍ବାଧିକ ସର୍କରାଯୁକ୍ତ ଆଖୁଚାଷ ପାଇଁ ବିଭିନ୍ନ ଯୋଜନାର ସଫଳ କାର୍ଯ୍ୟକାରିତା ମଧ୍ୟ କରାଯାଉଥିବା ଜଣାପଡିଛି । ଆସିକା ସମବାୟ ଚିନିଶିଳ୍ପରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟଗତ ଖର୍ଚ୍ଚ ଠାରୁ ଆରମ୍ଭ କରି ନିକଟସ୍ଥ ଗ୍ରାମଗୁଡିକୁ ବିଭିନ୍ନ ସୁବିଧା ଯୋଗାଇବା ସାଙ୍ଗକୁ ଯକ୍ଷ୍ମାରୋଗରେ ଆକ୍ରାନ୍ତ ରୋଗୀଙ୍କୁ ପ୍ରୋତ୍ସାହନ ମଧ୍ୟ ଯୋଗାଇବା ନିଶ୍ଚିତ ଭାବେ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଆଲୋଚିତ ହେଉଛି । ଆସିକା ସମବାୟ ଚିନିଶିଳ୍ପ ଓଡିଶା ସରକାରଙ୍କୁ ସାମଗ୍ରୀ ଓ ସେବାକର (ଜିଏସ୍‍ଟି) ଓ ଆୟକର ଏବଂ ଅବକାରୀ ଶୁଳ୍କ ବାବଦକୁ ବର୍ଷକୁ ସରକାରୀ ନୀତିନିୟମ ଅନୁଯାୟୀ ଅର୍ଥ ପୈଠ କରୁଥିବା ସାଙ୍ଗକୁ ବେକାରୀ ସମସ୍ୟା ଦୂର କରିବା ପାଇଁ ଶିକ୍ଷିତ ଓ ଯୋଗ୍ୟତାସଂପନ୍ନ ଯୁବକମାନଙ୍କୁ ଆବଶ୍ୟକତା ସମୟରେ କର୍ମସଂସ୍ଥାନ ମଧ୍ୟ ଯୋଗାଉଥିବା ଜଣାପଡିଛି । ଗତ ଆର୍ଥିକବର୍ଷ ୨୦୨୫-୨୬ ସକାଶେ ଆସିକା ସମବାୟ ଚିନିଶିଳ୍ପ ନିଜର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ସକାଶେ ସର୍ବଭାରତୀୟ ସ୍ତରରେ ପ୍ରଥମ ଥର ପାଇଁ ଜାତୀୟ ଦକ୍ଷତା ସମ୍ମାନରେ ସମ୍ମାନିତ ହୋଇପଡିଥିବା ଜଣାପଡିବା ପରେ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳୁଛି । ଆଖୁଚାଷୀମାନଙ୍କ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ସହ ଆଖୁଚାଷର ବହୁଳ ପ୍ରସାର ଓ ପ୍ରଚାର କରି ଏହି ପୁରାତନ ସମବାୟ ଅନୁଷ୍ଠାନ କିଭଳି ବିଭିନ୍ନ ସମୟରେ ନାନା ଘାତ ପ୍ରତିଘାତ ଏବଂ ଉତ୍‍ଥାନ ଓ ପତନ କରି ମଧ୍ୟ ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ନହୋଇ ଆଖୁଚାଷୀଙ୍କ ସେବାରେ ନିଜକୁ ସଂପୁର୍ଣ୍ଣ ରୂପେ ସମର୍ପିଦେଇ ଶିଳ୍ପାନୁଷ୍ଠାନର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ଲାଗି ପ୍ରୟାସ ଜାରି ରଖିଛି । ନୂଆଁଦିଲ୍ଲୀରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ଉତ୍ସବରେ ଶ୍ରେଷ୍ଠ ସମବାୟ ଭିତ୍ତିକ ପରିଚାଳନା ସଂସ୍ଥା ଭାବେ ଆସିକା ସମବାୟ ଚିନିଶିଳ୍ପ ସମ୍ମାନିତ ହେବା ନିଶ୍ଚିତ ଭାବେ ଗର୍ବ ଓ ଗୌରବର ବିଷୟ ବୋଲି ସମବାୟପ୍ରେମୀଙ୍କ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ସମବାୟ ଚିନିଶିଳ୍ପର ଏହି ଉଲ୍ଲେଖନୀୟ ସଫଳତା ପାଇଁ ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ପରିଷଦର ସଭାପତି ରବିନ୍ଦ୍ର ପର୍ଣ୍ଡାଙ୍କୁ ଶିଳ୍ପାନୁଷ୍ଠାନର ସଂପାଦକ ସନ୍ତୋଷ କୁମାର ମଲିକ, ଏଓ ଚିତ୍ତଚିନ୍ମୟ ରଂଜନ ନାୟକ, ବରିଷ୍ଠ ପଦାଧିକାରୀ ଶ୍ରୀନିବାସ ମହାପାତ୍ର, କେଦାରନାଥ ସାହୁ, ବଳରାମ ସୁବୁଦ୍ଧି, ଅନିଲ୍‍ କୁମାର ଦାଶ, ପ୍ରଶାନ୍ତ କୁମାର କର, ଦିଲୀପ କୁମାର ଗୌଡ, ଅରୁଣ କୁମାର ପାତ୍ର, କୃଷ୍ଣଚନ୍ଦ୍ର ଲେଙ୍କା, ବାଇଧର ନାହାକ, ରାମପ୍ରସାଦ ଶତପଥୀ, ଦିଲୀପ କୁମାର ସ୍ୱାଇଁ, ପ୍ରଦୀପ କୁମାର ପାଢୀ, ଅକ୍ଷୟ କୁମାର ସ୍ୱାଇଁ, ଜଗଦିଶ ପାତ୍ର, ଦୁଷ୍ମନ୍ତ କୁମାର ପାଢୀ, ରାଧାମାଧବ ନାହାକ, ଜ୍ୟୋତିର୍ମୟୀ ରାଉତ, ଧ୍ରୁବଚରଣ ସାହୁ, ଚିରଞ୍ଜିବୀ ମହାନ୍ତି, ଏମ୍‍.ରାମବାବୁ ଦୋରା, ତ୍ରିନାଥ ବେହେରା, ଚିରଞ୍ଜିବୀ ମହାନ୍ତି, କାମେଶ୍ୱର ବେହେରା, ଶ୍ରୀପାଳୀ ସୁନ୍ଦର ଦାଶ, ସୁଶାନ୍ତ କୁମାର ପାତ୍ର, ବିଶ୍ୱନାଥ ପାଣିଗ୍ରାହୀ, ବିଷ୍ଣୁପ୍ରସାଦ ଜେନା, ଉଲ୍ଲାସ କୁମାର ରେଡି, ସୁମନ୍ତ କୁମାର ପଟ୍ଟନାୟକ, ଆଶିଷ୍‍ କୁମାର ପରିଡା, ଜଗନ୍ନାଥ ପଟ୍ଟନାୟକ, ରାଜେଶ୍‍ କୁମାର ନାୟକ, ବ୍ରଜବନ୍ଧୁ ପାଢୀ, ବିକାଶ ପଟ୍ଟନାୟକ, ରାଜଗୋପାଳ ପାଢୀ, ସନ୍ତୋଷ କୁମାର ପଟ୍ଟନାୟକ, ସତ୍ୟବାନ୍‍ ଲେଙ୍କା, ଜ୍ୟୋତି ରାମକୃଷ୍ଣ ତ୍ରିପାଠୀ, ସୁରଜ୍‍ ପାଲ୍‍, ଜିତେନ୍ଦ୍ର ଜେନା, ଜୟରାମ ଯାଦବଙ୍କ ସମେତ ବହୁ କର୍ମଚାରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ