ଗୁଡ଼ାରିରୁ ଭୁବନେଶ୍ଵର ବସ୍ ସେବା ନେଇ ବିଧାନସଭାରେ ଗୁଣପୁର ବିଧାୟକଙ୍କ ପ୍ରଶ୍ନ
ଗୁଣପୁର,(ୱାଇଏନଏସ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ପ୍ରସଙ୍ଗ ଉଠାଇଛନ୍ତି। ଗୁଡାରି ଏନଏସି ମାନ୍ୟତା ପାଇବାର ୫୦ ବର୍ଷ ହୋଇଗଲେ ମଧ୍ୟ ଗୁଡାରିରୁ ରାଜଧାନୀ ଭୁବନେଶ୍ୱର ଏବଂ ସ୍ୱାସ୍ଥ୍ୟ ସେବା ନିମନ୍ତେ ବିଶାଖାପାଟଣା ପାଇଁ ସିଧାସଳଖ ଓ ଓଏସଆରଟିସି ବସ ସୁବିଧା ସରକାର କେବେ ଯୋଗାଇଦେବେ ବୋଲି ପ୍ରଶ୍ନ କରିଥିଲେ ବିଧାୟକ । ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏହି ପ୍ରଶ୍ନର ଉତ୍ତରରେ କହିଛନ୍ତିଯେ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ତରଫରୁ ଭୁବନେଶ୍ୱର ଠାରୁ ଗୁଡାରି ପର୍ଯ୍ୟନ୍ତ ସିଧାସଳଖ ଏକ ବସ ସେବା ଏକ ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯାଇଥିଲା। କିନ୍ତୁ ଉକ୍ତ ମାର୍ଗରେ ବିଭିନ୍ନ ଅସୁବିଧା ହେତୁ ଏହି ସେବାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ଉକ୍ତ ବସର ପୁନଃ ଚଳାଚଳ ନିମନ୍ତେ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆଗାମୀ ଦିନରେ ଯାତ୍ରୀଙ୍କ ଯାତାୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମାର୍ଗ ସର୍ବେକ୍ଷଣ କରିବା ପରେ ଗୁଣୁପୁର ନିର୍ବାଚନ ମଣ୍ଡଳୀର ଗୁଡାରି ଠାରୁ ଭୁବନେଶ୍ୱର ଏବଂ ବିଶାଖାପାଟଣାକୁ ସିଧାସଳଖ ବସ ସେବା ଯୋଗାଇଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ସେବା ପ୍ରଦାନ ନିମନ୍ତେ ବିଧାୟକ ସତ୍ୟଜିତ ଗମାଙ୍ଗ ପୂର୍ବରୁ ମଧ୍ୟ ବିଧାନସଭାରେ ପ୍ରଶ୍ନ କରିଥିଲେ। ଗୁଡାରିରୁ ରାଜଧାନୀ ଭୁବନେଶ୍ୱର ଓ ବିଶାଖାପାଟଣାକୁ ସିଧାସଳଖ ସରକାରୀ ବସ ସେବା ପ୍ରଦାନ ନିମନ୍ତେ ଗୁଡାରି ଅଞ୍ଚଳବାସୀ ପୂର୍ବରୁ ୨ ଥର ପରିବହନ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହାଛଡା ୨ ଥର ଗୁଡାରି ବନ୍ଦ ଡାକରା ଦିଆଯାଇଥିଲା। ଗତ ୨୨ ତାରିଖରେ ମଧ୍ୟ ଏହି ଦାବି ନେଇ ଗୁଡାରିରେ ବନ୍ଦ ପାଳନ ହୋଇଥିଲା। ଖୁବ ଶୀଘ୍ର ଏହି ସେବା ପ୍ରଦାନ ନିମନ୍ତେ ଅଞ୍ଚଳବାସୀ ପରିବହନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।


