ଲଗାଣବର୍ଷାରେ ଭୁଶୁଡ଼ିଲା ଘର, କାନ୍ଥ ଅଳ୍ପକେ ବର୍ତ୍ତିଲେ ପରିବାର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ଲାଗିରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଠା ଗ୍ରାମର ଚୈତନ୍ୟ ଡାକୁଆ ଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଗୁରୁବାର ସକାଳ ପ୍ରାୟ ସାଢେ ୬ ଟାରେ ଶୌଚ ପାଇଁ ପରିବାର ଲୋକେ ପୋଖରୀ କୁ ଯାଇଥିବା ବେଳେ ବର୍ଷା ପାଣି ରେ ଭିଜି ଭିଜି ସମ୍ପୂର୍ଣ୍ଣ ବତୁରୀ ଯାଇଥିବା ମାଟି କାନ୍ଥ ଟି ଭୁଶୁଡ଼ି ଯାଇଥିଲା। ସୌଭାଗ୍ୟ ବଶତଃ ଘରେ କେହି ନଥିବା ରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ସେହିପରି ଗାଁ ର ଦଳିତ ସାହିର ବୁଲା ନାଇକ,ରଶ୍ମିତା ନାଇକ, ହାଡ଼ିଆ ନାଇକ, ଜ୍ୟୋତ୍ସ୍ନା ନାଇକ, ପଦି ନାଇକ ଏବଂ ସୀତା ନାଇକ ୬ ଟି ପରିବାର ଙ୍କ ଝାଟି ମାଟି ନିର୍ମିତ କଚା ଘର ପ୍ରଭାବିତ ହୋଇଛି। ଚାଳଛପର ଘରୁ ପାଣି ଗଳୁଛି ବୋଲି ଗାଁର ସାମାଜିକ କର୍ମୀ ରାମହରି ଗୌଡ଼ ଜଣାଇଛନ୍ତି। ସେହିପରି ଗାଇଡ଼ା ଗ୍ରାମର ନିରାକାର ବେହେରା ଙ୍କ ଘର କାନ୍ଥ ବୁଧବାର ସକାଳେ ଭୁଶୁଡ଼ି ପଡ଼ିଥିଲା।ସରପଞ୍ଚ ଏବଂ ରାଜସ୍ବ ନିରୀକ୍ଷୀକା ପହଞ୍ଚି ତାଙ୍କୁ ଜରିପାଲ ପ୍ରଦାନ କରିଥିଲେ।ଗୁରୁବାର ତହସିଲଦାର ସନ୍ତୋଷ କୁମାର ସାହୁ ଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ବ ନିରୀକ୍ଷୀକା ରୁପଶ୍ରୀ ବେହେରା ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତହସିଲଦାର ଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି।ସମ୍ପୃକ୍ତ ପରିବାରଙ୍କୁ କ୍ଷତିପୁରଣ ପ୍ରଦାନ କରାଯିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପକ୍କା ଗୃହ ନିର୍ମାଣ ନିମନ୍ତେ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟାଦେଶ ପ୍ରଦାନ ପାଇଁ ସରପଞ୍ଚ ଦାବୀ କରିଛନ୍ତି। ପଞ୍ଚାୟତ ତରଫରୁ ବିପନ୍ନ ମାନଙ୍କ ପରିବାରକୁ ଚାଉଳ ସହ ଆବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଛି। ଦିଗପହଣ୍ଡି ଏନ୍ଏସି ୨ ନଂ ୱାର୍ଡ ସତ୍ୟନଗର କଲୋନୀ ବାସିନ୍ଦା ଜଳବନ୍ଦୀ ଅବସ୍ଥାରେ ଥିବା ଅଭିଯୋଗ ପାଇବା ପରେ ତହସିଲଦାର ସେଠାରେ ପହଞ୍ଚି ଏନ୍ଏସି କର୍ମଚାରୀ ମାନଙ୍କ ସହାୟତାରେ ଜଳନିଷ୍କାସନ ପାଇଁ ପଦକ୍ଷେପ ନେଇଥିବା କହିଛନ୍ତି.


