ଭେଜାଲ ପନିର କାରବାରର ପର୍ଦ୍ଦାଫାସ୍‌; କେଏମସି ପକ୍ଷରୁ ଥାନାରେ ୧୧ ଜଣଙ୍କ ବିରୋଧରେ ଅଭିଯୋଗ

କଟକ, (ଓ୍ବାଇଏନଏସ): କଟକରେ ଭେଜାଲ୍ ପନିର କାରବାର ଅଭିଯୋଗ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନିଆଳି ଅଞ୍ଚଳରୁ ଜବତ ହୋଇଥିବା ବିପୁଳ ପରିମାଣର ପନିର ଓ କଟେଜ୍‌ ଚିଜ୍‌ର ନମୁନା ପରୀକ୍ଷା ପରେ ଏଥିରେ ଅନୁମୋଦିତ ନଥିବା ପଦାର୍ଥ ମିଶିଥିବା ଜଣାପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ୧୧ ଜଣଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ନିଆଳି ଅଞ୍ଚଳରେ ଚଢ଼ାଉ କରାଯାଇ ପ୍ରାୟ ୭୩ କ୍ୱିଣ୍ଟାଲ୍‌ ସନ୍ଦିଗ୍ଧ ପନିର ଓ କଟେଜ୍‌ ଚିଜ୍‌ ଜବତ କରାଯାଇଥିଲା। ଜବତ ସାମଗ୍ରୀରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ମାନ୍ୟତାପ୍ରାପ୍ତ ଲ୍ୟାବ୍‌କୁ ପଠାଯାଇଥିଲା ପରୀକ୍ଷା ରିପୋର୍ଟରେ ପନିରରେ ଷ୍ଟାର୍ଚ୍ଚ, ମଇଦା ଓ ଡିଟରଜେଣ୍ଟ ସଦୃଶ ପଦାର୍ଥ ମିଳିଥିବା ଜଣାପଡ଼ିଛି। ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଖାଦ୍ୟ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ପନିର ଭଳି ଦୁଗ୍ଧଜାତ ଖାଦ୍ୟ କେଉଁଠାରୁ ଆସୁଛି ଏବଂ କିପରି ପ୍ରସ୍ତୁତ ହେଉଛି, ତାହା ଉପରେ ଯାଞ୍ଚ ଆବଶ୍ୟକ ହୋଇପଡ଼ିଛି। ଲ୍ୟାବ୍‌ ରିପୋର୍ଟ ମିଳିବା ପରେ କେଏମସି ପକ୍ଷରୁ ମଧୁପାଟଣା ଥାନାରେ ୧୧ ଜଣଙ୍କ ବିରୋଧରେ ଅଭିଯୋଗ କରାଯାଇଛି।ଅଭିଯୋଗରେ ଉତ୍ପାଦନ, ଯୋଗାଣ ଓ ବିକ୍ରି ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୂମିକା ନେଇ ତଦନ୍ତ ଚାଲିଛି। ଜବତ ପନିରକୁ ନିୟମ ଅନୁସାରେ ନଷ୍ଟ କରାଯାଇଥିବା ବେଳେ ଘଟଣାର ମୂଳ ଉତ୍ସ ଓ ଯୋଗାଣ ଶୃଙ୍ଖଳା ନେଇ ତଦନ୍ତ ଜାରି ରହିଛି। କଟକ ସହରରେ ଭେଜାଲ ଖାଦ୍ୟ ବିରୋଧରେ ଆଗାମୀ ଦିନରେ ଚଢ଼ାଉ ଓ ନମୁନା ପରୀକ୍ଷାକୁ ଆହୁରି ଜୋରଦାର କରାଯିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ପନିର ଓ ଅନ୍ୟ ଦୁଗ୍ଧଜାତ ଖାଦ୍ୟର ଚାହିଦା ବଢ଼ୁଥିବା ସମୟରେ ଏଭଳି ଭେଜାଲ କାରବାର ଅଭିଯୋଗ ଗ୍ରାହକଙ୍କ ଖାଦ୍ୟ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି। ତେଣୁ ବଜାରରେ ବିକ୍ରି ହେଉଥିବା ପନିରର ମାନ ଯାଞ୍ଚ ଓ ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଉପରେ ଏବେ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ