ଅଙ୍ଗନବାଡି କେନ୍ଦ୍ରରେ ‘ଅଙ୍ଗନ କା ଉତ୍ସବ’
ନାଉଗାଁ ,(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ୧୬ଟି ପଞ୍ଚାୟତ ଅନ୍ତର୍ଗତ ୧୧୯ଟି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ମାସ-୨୦୨୬ ଅବସରରେ ‘ଅଙ୍ଗନ କା ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ତିହୁଡା-୨ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ସୁନେଲି ସ୍ୱର୍ଣ୍ଣପ୍ରଭା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଉତ୍ସବ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ନିରଞ୍ଜନ ପରିଡ଼ା, ଶିଶୁ ବିକାଶ ଯୋଜନା ଅଧିକାରିଣୀ (ସିଡିପିଓ) ସ୍ୱପ୍ନା ମହାପାତ୍ର ଓ ସୁପରଭାଇଜର ସ୍ମୃତିପ୍ରଜ୍ଞା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଶିଶୁମାନଙ୍କ ଅଭିଭାବକ, ଏଏମସି ସଦସ୍ୟ ଓ ମାତୃ କମିଟି ସଦସ୍ୟମାନେ ଯୋଗଦେଇଥିଲେ। ଉତ୍ସବରେ ଅଭିଭାବକମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପୁଷ୍ଟିକର ଓ ପାରମ୍ପରିକ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ସିଡିପିଓ ସ୍ୱପ୍ନା ମହାପାତ୍ର ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶରେ ପୋଷଣର ଗୁରୁତ୍ୱ ସମ୍ପର୍କରେ ଅଭିଭାବକମାନଙ୍କୁ ସଚେତନ କରିଥିଲେ। ଶିଶୁମାନେ ଯେପରି କୁପୋଷଣର ଶିକାର ନ ହୁଅନ୍ତି, ସେଥିପାଇଁ ଦୈନନ୍ଦିନ ଖାଦ୍ୟରେ ପୁଷ୍ଟିକର ଖାଦ୍ୟ ସାମିଲ କରିବାକୁ ସେ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମକୁ ଅଙ୍ଗନବାଡି ସହାୟିକା ସ୍ୱର୍ଣ୍ଣପ୍ରଭା କାଳିଆ ପରିଚାଳନା କରିଥିଲେ। ସେହିପରି ବେଣାପଡାସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ପୁଷ୍ପଲତା ଦାସ ଓ ସହାୟିକା ଆରତୀ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ‘ଅଙ୍ଗନ କା ଉତ୍ସବ’ ଆୟୋଜିତ ହୋଇଥିଲା।


