ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ସହଯୋଗୀ ଗିରଫ

କଟକ (ଓ୍ବାଇଏନଏସ): ୩୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ର ଜଣେ ସହକାରୀ ଯନ୍ତ୍ରୀ ଏବଂ ତାଙ୍କ ଜଣେ ସହଯୋଗୀଙ୍କୁ ମଙ୍ଗଳବାର ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ବଡ଼ଚଣା ବ୍ଲକ୍‌ର ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ଏବଂ ତାଙ୍କ ସହଯୋଗୀ ତଥା ବେସରକାରୀ ବ୍ୟକ୍ତି ସୋମନାଥ ସେଠୀ।ଉଭୟଙ୍କୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି।ଭିଜିଲାନ୍ସ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୭ ତାରିଖରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ବଡ଼ଚଣା ବ୍ଲକ୍‌ ଅଧୀନ ଏକ ସ୍କୁଲ୍‌ର ନିର୍ମାଣ କାର୍ଯ୍ୟ କରିଥିବା ଜଣେ ଠିକାଦାର ନିଜର ବକେୟା ବିଲ୍‌ ପୈଠ ଏବଂ ସିକ୍ୟୁରିଟି ଡିପୋଜିଟ୍‌ ଫେରସ୍ତ ପାଇଁ ଆବେଦନ କରିଥିଲେ। ଏହା ପାଇଁ ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ୩୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ସେପ୍ଟେମ୍ବର ୨୮ ତାରିଖରେ ଏକ ଟ୍ରାପ୍‌ ଆୟୋଜନ କରାଯାଇଥିଲା। ବଡ଼ଚଣା ବ୍ଲକ୍‌ର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବନ୍ଦିତା ଦାଶ ଓ ସୋମନାଥ ସେଠୀ ଅଭିଯୋଗକାରୀଙ୍କ ଠାରୁ ୩୫ ହଜାର ଟଙ୍କା ଦାବି କରି ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍‌ ସେମାନଙ୍କୁ ଧରିଥିବା ଜଣାପଡ଼ିଛି। ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଥିବା ବେଳେ ସାକ୍ଷୀଙ୍କ ଉପସ୍ଥିତିରେ ଏହାକୁ ଜବତ କରାଯାଇଥିଲା। ରାସାୟନିକ ପରୀକ୍ଷା ସମୟରେ ଉଭୟ ଅଭିଯୁକ୍ତଙ୍କ ଦୁଇ ହାତର ପରୀକ୍ଷା ଫଳାଫଳ ପଜିଟିଭ୍‌ ଆସିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଲାଞ୍ଚ ଟଙ୍କା ସହ ସେମାନଙ୍କ ସମ୍ପର୍କ ଥିବା ଏହି ପରୀକ୍ଷାରୁ ଜଣାପଡ଼ିଥିବା ଭିଜିଲାନ୍ସ ଦାବି କରିଛି।ଟ୍ରାପ୍‌ ପରେ ଭିଜିଲାନ୍ସ ପକ୍ଷରୁ ବନ୍ଦିତା ଦାଶଙ୍କ ବଡ଼ଚଣା କାର୍ଯ୍ୟାଳୟ ସମେତ କଟକର ଜଗତପୁରସ୍ଥିତ ତାଙ୍କ ବାସଭବନ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିମପୁରସ୍ଥିତ ତାଙ୍କ ଶ୍ୱଶୁର ଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା।ଜଗତପୁରର ଜେନାମଣି ମଣ୍ଡପ ନିକଟସ୍ଥ ତାଙ୍କ ବାସଭବନରୁ ୫.୧୫ ଲକ୍ଷ ଟଙ୍କା ନଗଦ ଜବତ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ