ମା’ କୈବଲ୍ୟ ଲୋଲୁପିନୀ


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ।

ସନାତନ ଧର୍ମ ଏବଂ ତନ୍ତ୍ର ଶାସ୍ତ୍ର ଅନୁଯାୟୀ, ଶ୍ରୀକ୍ଷେତ୍ର କେବଳ ପୁରୁଷୋତ୍ତମ କ୍ଷେତ୍ର ନୁହେଁ, ବରଂ ଏହା ଏକ ପବିତ୍ର ଶକ୍ତିପୀଠ ଏବଂ ଶକ୍ତି ସାଧନାର ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ। ଏହି ପୀଠର ପୀଠାଧୀଶ୍ୱରୀ ଅଟନ୍ତି ସ୍ଵୟଂ ମା’ ବିମଳା। ଯିଏ ଜୀବର ସମସ୍ତ ମଳ ବା କଳ୍ମସକୁ ନାଶ କରନ୍ତି; ଏଣୁ ସେ ବିମଳା ନାମରେ ନାମିତ ହୋଇ ଏ କ୍ଷେତ୍ରରେ ପୂଜିତା ହେଉଛନ୍ତି। ଯାହାଙ୍କୁ “କୈବଲ୍ୟ ଲୋଲୁପିନୀ” ବା ମହାପ୍ରସାଦ ପ୍ରିୟା ବୋଲି ମଧ୍ୟ କୁହାଯାଏ। ଏ ଉପରେ ଏକ ତାତ୍ତ୍ୱିକ କିମ୍ବଦନ୍ତୀ କଥା ଦେଖିବାକୁ ମିଳେ। ଦିନେ ଦେବର୍ଷି ନାରଦ ଗୋଲକ ନାଥଙ୍କ ମୁଖାରବିନ୍ଦ କୈବଲ୍ୟ ପ୍ରସାଦ ପାଇ ମହାଆନନ୍ଦରେ ନାଚି ନାଚି କୈଳାସ ପୁରକୁ ଆସିଥିଲେ । ନାରଦଙ୍କୁ ଦେଖି ମହାଦେବ ସତ୍କାର କରିବା ସହ ଆନନ୍ଦର କାରଣ ଜାଣିବା ପାଇଁ ଚାହିଁଥିଲେ। ଏଥିରେ ଖୁସି ହୋଇ ନାରଦ ମୁଖାରବିନ୍ଦ କୈବଲ୍ୟ ପ୍ରାପ୍ତିର ବୃତ୍ତାନ୍ତ ଜଣାଇଥିଲେ ଶିବଙ୍କୁ। ଏହା ଶୁଣି ଶିବ କହିଲେ ହେ ଦେବର୍ଷି ! ମୋ’ ପାଇଁ କିଛି ଆଣିଛ କି ? ହରଙ୍କର ବାଣୀ ଶୁଣି ନାରଦ ଉତ୍ତର ଦେଲେ ହେ ଭକ୍ତ ଶ୍ରେଷ୍ଠ ! ପ୍ରଭୁ ପାଖରୁ ଯାହା ପ୍ରାପ୍ତି ହୋଇଥିଲା ତାହା ସବୁ ଭକ୍ଷଣ କରି ଦେଇଛି। କିନ୍ତୁ କଣିକାଟିଏ ମୋର ଦକ୍ଷିଣ ହସ୍ତର ନଖ କୋଣରେ ରହିଯାଇଛି। ଏହା ଦେଖି ସଦାଶିବ ଶ୍ରୀପ୍ରସାଦକୁ ସେବନ କରିଥିଲେ ଏଵଂ ଉଭୟେ ଆନନ୍ଦରେ ନୃତ୍ୟ କରିବାକୁ ଲାଗିଥିଲେ। ଏ ସମସ୍ତ ବିଷୟକୁ ଜାଣିବା ପରେ ମା’ ଭବାନୀ ଶଙ୍କରଙ୍କୁ ବିଷ୍ଣୁଙ୍କ ମୁଖାରବିନ୍ଦ କୈବଲ୍ୟ ପାଇବା ନିମନ୍ତେ ପ୍ରାର୍ଥନା କଲେ। ତେଣୁ ଆଶୁତୋଷ ବିଷ୍ଣୁଙ୍କ ପାଖକୁ ଯାଇ ସମସ୍ତ କଥା କହିବାକୁ ଲାଗିଲେ। ଏଥିରେ ସନ୍ତୋଷ ହୋଇ ନାରାୟଣ କହିବାକୁ ଗଲେ ହେ ଦେବୀ ! ତୁମର କାମନା ନିଶ୍ଚିତ ଭାବରେ ପୂର୍ଣ୍ଣ ହେବ। କିନ୍ତୁ ଏବେ ନୁହଁ, କଳିଯୁଗରେ ତୁମେ ଶ୍ରୀମନ୍ଦିରେ ବିମଳା ରୂପେ ପୂଜିତା ହୋଇ ମୋର ( ଜଗନ୍ନାଥ) ନିତ୍ୟ ମହାପ୍ରସାଦ ପ୍ରାପ୍ତ କରିବ। ଏହି ବିଷୟକୁ ସୂଚାଇବାକୁ ଯାଇ ବାମଦେବ ସଂହିତାରେ ଉଲ୍ଲେଖ ରହିଛି:
ଶ୍ରୀପ୍ରସାଦଂ ପ୍ରତିଦିନଂ ଭକ୍ଷୀତ୍ୱା ତତ୍ର କେବଳମ୍‌ ।
ସତ୍ୟଂଶେନ ତ୍ୱୟା ଜାତଂ ପାର୍ବତୀ ନାମ-ନାମତଃ ।।
ଅର୍ଥାତ୍:- ହେ ଦେବୀ ! ସତୀଙ୍କ ପବିତ୍ର ଅଂଶରୁ ଜନ୍ମ ଗ୍ରହଣ କରିଥିବାରୁ, ତୁମେ ଜଗତରେ ‘ପାର୍ବତୀ’ ନାମରେ ପ୍ରସିଦ୍ଧି ଲାଭ କରିଛ । ଏହି ପବିତ୍ର ପୀଠରେ ପୂର୍ବ ସଂକଳ୍ପ ଯୋଗୁଁ ତୁମେ ପ୍ରତିଦିନ କେବଳ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଭକ୍ଷଣ ବା ସେବନ କରୁଛ। ତେଣୁ ଏଠାରେ ମହାଦେବୀ ବିମଳା ସଦାସର୍ବଦା ନିର୍ମାଲ୍ୟ ପାଇବା ପାଇଁ ଧ୍ଯାନରତ ଥାନ୍ତି।

ଏହି ଧ୍ୟାନରତା ଦେବୀ ବିମଳାଙ୍କ ନିକଟରେ ପ୍ରତ୍ୟୟଃ ସକାଳ, ମଧ୍ୟାହ୍ନ ଏବଂ ସାୟଂ କାଳରେ ପୂଜା ଅର୍ଚ୍ଚନା ହୋଇଥାଏ । ବର୍ଷର ସମସ୍ତ ସମୟରେ ଦେବୀଙ୍କୁ ପରମବୈଷ୍ଣବୀ ଭାବେ ପୂଜା କରାଯାଉଥିବା ବେଳେ ଶରତକାଳିନ ଦୁର୍ଗାପୂଜା କାଳରେ ମା’ଙ୍କୁ କୌଳାଚାର ତନ୍ତ୍ର ଅନୁଯାୟୀ କାଳଭୈରବୀ ରୂପେ ପୂଜା କରାଯାଏ । ଦେବୀଙ୍କ ସମସ୍ତ ଉତ୍ସବ ମଧ୍ୟରେ ଶାରଦୀୟ ଷୋଡଶ ଦିନାତ୍ମକ ରହସ୍ୟ ଦୁର୍ଗା ପୂଜା ଏବଂ ଶାକ୍ତ ଗୁଣ୍ଡିଚା ପ୍ରସିଦ୍ଧ ଅଟେ। ଏହା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରୁ ଆରମ୍ଭ ହୋଇ ଶୁକ୍ଳପକ୍ଷ ଦଶମୀ ତିଥି ପର୍ଯ୍ୟନ୍ତ ପାଳିତ ହୋଇଥାଏ। ଏହି ତିଥିରେ ସପ୍ତମୀ, ଅଷ୍ଟମୀ ଓ ନବମୀର ଅର୍ଦ୍ଧରାତ୍ରୀ ସମୟରେ ମହାନିଶୀ ପୂଜା ଅନୁଷ୍ଠିତ ହୁଏ । ଯେଉଁଥିରେ ଦେବୀଙ୍କ ପାର୍ଶ୍ୱରେ ଥିବା ନାଗକନ୍ୟା ଓ ଦେବକନ୍ୟା ତଥା ଚଉଷଠି ଯୋଗିନୀଙ୍କୁ ଛାଗବଳି ଦିଆଯାଏ । ଏ ନୀତିକୁ ଅର୍ଦ୍ଧରାତ୍ରରେ ପହୁଡ଼ ପଡ଼ିବା ପରେ କିଛି ନିର୍ବାଚିତ କୌଳିକ ବ୍ରାହ୍ମଣମାନେ ସମ୍ପାଦନା କରିଥାନ୍ତି। ଉକ୍ତ ଷୋଳପୂଜାର ପ୍ରଥମ ଓ ଶେଷ ଚାରିଦିନ ବ୍ୟତୀତ ପ୍ରତ୍ୟେକ ଦିନ ବିମଳାଙ୍କୁ ଭିନ୍ନ ଭିନ୍ନ ବେଶ କରାଯାଏ । ଏହି ଷୋହଳଦିନ ପର୍ଯ୍ୟନ୍ତ ମହିଳାମାନେ ବିମଳାଦେବୀଙ୍କ ମନ୍ଦିରରେ ପ୍ରବେଶ କରନ୍ତି ନାହିଁ ।

ବରିଷ୍ଠ ଦର୍ଶନ ଅଧ୍ୟାପକ
ସଂସ୍କୃତ ମହାବିଦ୍ୟାଳୟ
କବିସୂର୍ଯ୍ୟ ନଗର, ଗଞ୍ଜାମ
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ