ବସରୁ ଡାକିନେଇ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଗିରଫ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ କଲେଜ ଯିବା ବାଟରୁ ଡାକିନେଇ ଏକ ହୋଟେଲରେ ବଳାତ୍କାର କରାଯାଇଥିବା ନେଇ ସୋସୋ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ମୁଣ୍ଡୁକାଟି ଗ୍ରାମର ରଶ୍ମୀ ରଞ୍ଜନ ସେଠୀ (୨୯)ଙ୍କୁ ଗିରଫ କରିବା ସହ ଥାନା କେସ୍‌ ନମ୍ବର ୧୮୨/୨୦୨୬ରେ ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାୟୀ, ଗୁରୁବାର ଛାତ୍ରୀ ଜଣକ କଲେଜ ଯିବା ପାଇଁ ତାଙ୍କ ବାପାଙ୍କ ସହ ବାଇକ୍‌ରେ ଛେନାପଦି ଛକ ପର୍ଯ୍ୟନ୍ତ ଆସିଥିଲେ। ସେଠାରୁ ବସ୍‌ରେ କଲେଜ ଯାଉଥିବା ସମୟରେ ଅଭିଯୁକ୍ତ ରଶ୍ମୀ ରଞ୍ଜନ ସେଠୀ କୌଣସି ବାହାନା କରି ବାଟରୁ ତାଙ୍କୁ ବସ୍‌ରୁ ଡାକିନେଇଥିଲା । ପରେ ତାଙ୍କୁ ଶାଳବଣି ଛକସ୍ଥିତ ଏକ ହୋଟେଲକୁ ନେଇ ସେଠାରେ ବଳାତ୍କାର କରାଯାଇଥିବା ଛାତ୍ରୀ ଜଣକ ଅଭିଯୋଗରେ ଦର୍ଶାଇଛନ୍ତି। ଘଟଣାରେ ଅନ୍ୟ ଜଣେ ଯୁବକ ସହଯୋଗ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ପରେ ଘଟଣା ସମ୍ପର୍କରେ ଛାତ୍ରୀ ଜଣକ ଘରକୁ ଫୋନ୍‌ କରି ଜଣାଇବା ପରେ ତାଙ୍କ ବାପା ଗାଁର ଜଣେ ବ୍ୟକ୍ତିଙ୍କୁ ସାଥିରେ ନେଇ ହୋଟେଲରେ ପହଞ୍ଚି ଝିଅକୁ ଘରକୁ ନେଇଆସିଥିଲେ। ପରେ ଛାତ୍ରୀଙ୍କ ଲିଖିତ ଅଭିଯୋଗ ଆଧାରରେ ସୋସୋ ପୁଲିସ ବିଏନ୍‌ଏସ୍‌ର  ୬୪/ (୨) (ଏମ) / ୨୯୬/ ୧୧୫ (୨) ୩୫୧ (୨) ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଅଭିଯୁକ୍ତଙ୍କୁ ତାଙ୍କ ଘରୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣକ ସିଆଇଏସ୍‌ଏଫ୍‌ର ଯବାନ ବୋଲି କୁହାଯାଉଛି।  ଛାତ୍ରୀ ଓ ଅଭିଯୁକ୍ତଙ୍କ ଘର ପାଖାପାଖି ଗ୍ରାମରେ ହୋଇଥିବାରୁ ସେମାନେ ପୂର୍ବରୁ ଉଭୟ ଉଭୟଙ୍କ ସହିତ ପରିଚିତ ଥିଲେ ବୋଲି କୁହା ଯାଉଛି । ଘଟଣାର ଦିଗ ଉପରେ  ପୁଲିସ ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ