ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜନପ୍ରତିନିଧିଙ୍କ ତତ୍ପରତା

ବାଲେଶ୍ୱର(ସରୋଜ ପଣ୍ଡା): ଲଗାଣ ବର୍ଷା ସମୟରେ ବାଲେଶ୍ୱର ସହରର ତେଲେଙ୍ଗାସାହି, ଶୋଭାରାମପୁର ଓ ନୂଆବଜାର ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଯୋଗୁଁ ଦୀର୍ଘଦିନ ଧରି ସ୍ଥାନୀୟ ଲୋକେ ବିଭିନ୍ନ ଅସୁବିଧା ଭୋଗ କରିଆସୁଛନ୍ତି। ବିଶେଷକରି ପ୍ରବଳ ବର୍ଷା ସମୟରେ ରାସ୍ତା ଓ ଜନବସତିରେ ବର୍ଷାଜଳ ଜମି ଯାତାୟାତ ବାଧାପ୍ରାପ୍ତ ହେବା ସହ ଜନଜୀବନ ପ୍ରଭାବିତ ହେଉଛି। ଏହି ଦୀର୍ଘଦିନର ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଆଜି ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରେମୁଣା ବିଧାୟକ ତଥା ସରକାରୀ ଉପ ମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ଏବଂ ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ରେଳ ଅଧିକାରୀମାନଙ୍କ ସହ ଉକ୍ତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଜନପ୍ରତିନିଧିମାନେ ସ୍ଥାନୀୟ ଲୋକଙ୍କ ସହ ସମସ୍ୟା ସମ୍ପର୍କରେ ସିଧାସଳଖ ଆଲୋଚନା କରିବା ସହ ରେଳ ଅଧିକାରୀମାନଙ୍କୁ ବର୍ଷାଜଳ ନିଷ୍କାସନରେ ରହିଥିବା ବାଧା ଏବଂ ଏହାଦ୍ୱାରା ସୃଷ୍ଟି ହେଉଥିବା ଜନସମସ୍ୟା ବିଷୟରେ ଅବଗତ କରାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ତେଲେଙ୍ଗାସାହି, ଶୋଭାରାମପୁର ଓ ନୂଆବଜାରର ସମ୍ପୃକ୍ତ ଅଞ୍ଚଳ ରେଳ ବିଭାଗ ଅଧୀନରେ ଆସୁଥିବାରୁ ଏଠାରେ ଡ୍ରେନ ନିର୍ମାଣ ଓ ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର ପାଇଁ ରେଳ ବିଭାଗର ସହଯୋଗ ଅତ୍ୟନ୍ତ ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ଜନପ୍ରତିନିଧିମାନେ ରେଳ ଅଧିକାରୀଙ୍କ ସହ ଆଲୋଚନା କରି ନୂତନ ଡ୍ରେନ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ। ଆଲୋଚନା ପରେ ରେଳ ବିଭାଗ ପକ୍ଷରୁ ଏହି ଅଞ୍ଚଳରେ ଆବଶ୍ୟକ ଡ୍ରେନ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ମିଳିଛି। ଖୁବଶୀଘ୍ର ଏହି ସମସ୍ତ ଡ୍ରେନର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ନୂତନ ଡ୍ରେନ ନିର୍ମାଣ ହେଲେ ବର୍ଷାଜଳର ସୁଗମ ନିଷ୍କାସନ ସମ୍ଭବ ହେବା ସହ ତେଲେଙ୍ଗାସାହି, ଶୋଭାରାମପୁର ଓ ନୂଆବଜାର ଅଞ୍ଚଳବାସୀଙ୍କ ବହୁଦିନର ଜଳବନ୍ଦୀ ଓ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ପ୍ରତିକାର ହୋଇପାରିବ। ଏହା ସହିତ ରାସ୍ତାରେ ଜଳ ଜମିବା, ଯାତାୟାତରେ ବାଧା ଏବଂ ବର୍ଷାଦିନରେ ଜନସାଧାରଣଙ୍କ ଦୈନନ୍ଦିନ ଜୀବନରେ ଉପୁଜୁଥିବା ଅସୁବିଧା ମଧ୍ୟ ବହୁ ପରିମାଣରେ ଦୂର ହେବ। ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ସମସ୍ୟାକୁ ଗୁରୁତ୍ୱ ଦେଇ ସାଂସଦ, ବିଧାୟକ ଓ ରେଳ ବିଭାଗ ମଧ୍ୟରେ ଏଭଳି ସମନ୍ୱୟ ଓ ତ୍ୱରିତ ପଦକ୍ଷେପ ଜନସେବା ପ୍ରତି ଜନପ୍ରତିନିଧିଙ୍କ ପ୍ରତିବଦ୍ଧତାର ଏକ ଉଦାହରଣ ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି। ଏହି ସମୟରେ ପ୍ରସାଶନିକ ଅଧିକାରୀ ଓ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ