ଏସ୍ଇବିସି ପ୍ରତିନିଧିତ୍ୱ ଯାଞ୍ଚ ପାଇଁ କମିସନ ଗଠିତ
କଟକ,(ଓ୍ବାଇଏନଏସ) : ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟରେ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ (ଏସ୍ଇବିସି)ଙ୍କ ରାଜନୈତିକ ପ୍ରତିନିଧିତ୍ୱ ସମ୍ପର୍କରେ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାରେ ଏସ୍ଇବିସି ବର୍ଗର ପ୍ରତିନିଧିତ୍ୱ ଓ ରାଜନୈତିକ ପଛୁଆପଣ ଆକଳନ କରିବାକୁ ରାଜ୍ୟ ସରକାର ଏକ କମିସନ ଗଠନ କରିଛନ୍ତି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କୁ କମିସନର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଅବସରପ୍ରାପ୍ତ ଆଇଏଏସ୍ ବିଜୟ କୁମାର ପୃଷ୍ଟି ସଦସ୍ୟ ଏବଂ ଏସ୍ଟି ଓ ଏସ୍ସି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ସୁଜାତା ମିଶ୍ର ସଦସ୍ୟ-ସଚିବ ଭାବେ ଦାୟିତ୍ୱ ତୁଲାଇବେ। ଏନେଇ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି ହୋଇଛି। କମିସନ ରାଜ୍ୟର ବିଭିନ୍ନ ପଞ୍ଚାୟତ ଓ ପୌର ସଂସ୍ଥାରେ ଏସ୍ଇବିସି ବର୍ଗର ଜନସଂଖ୍ୟା ଏବଂ ସେହି ଅନୁପାତରେ ରହିଥିବା ରାଜନୈତିକ ପ୍ରତିନିଧିତ୍ୱର ସ୍ଥିତି ଅନୁଧ୍ୟାନ କରିବ। ବିଶେଷକରି ସ୍ଥାନୀୟ ନିର୍ବାଚିତ ସଂସ୍ଥାଗୁଡ଼ିକରେ ଏହି ବର୍ଗର ଲୋକଙ୍କ ପ୍ରତିନିଧିତ୍ୱ ପର୍ଯ୍ୟାପ୍ତ କି ନୁହେଁ ଏବଂ ସେମାନେ ରାଜନୈତିକ ଭାବେ କେତେ ପଛୁଆ ରହିଛନ୍ତି, ତାହାର ତଥ୍ୟଭିତ୍ତିକ ଆକଳନ କରାଯିବ। ଏହି ଅଧ୍ୟୟନ ଆଧାରରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାରେ ଏସ୍ଇବିସି ବର୍ଗକୁ ଉପଯୁକ୍ତ ରାଜନୈତିକ ପ୍ରତିନିଧିତ୍ୱ ଦେବା ସହ ସେମାନଙ୍କ ଅଧିକାର ସୁରକ୍ଷା ଓ ଆବଶ୍ୟକ ବ୍ୟବସ୍ଥା ନେବାରେ ସରକାରଙ୍କୁ ସହାୟତା ମିଳିବ। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପରିପ୍ରେକ୍ଷୀରେ ଏହି କମିସନର ଭୂମିକାକୁ ଗୁରୁତ୍ୱ ଦିଆଯାଉଛି।ସୂଚନାଯୋଗ୍ୟ, ଏସ୍ଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତିଗତ ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଇଞ୍ଜିନିୟରିଂ, ମେଡିକାଲ ଭଳି ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ଏହି ବର୍ଗ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି।


