୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଡିଇଓ ଅଫିସ୍‌ ର ପ୍ରୋଗ୍ରାମର

କଟକ,(ଓ୍ବାଇଏନଏସ): ବିଦ୍ୟାଳୟରେ ଡିଜିଟାଲ ବ୍ଲାକ୍‌ବୋର୍ଡ ସ୍ଥାପନ କାର୍ଯ୍ୟର ବକେୟା ବିଲ୍‌ ପାସ୍‌ କରାଇବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ତଥା ସମଗ୍ର ଶିକ୍ଷା ଅଭିଯାନ (ଏସ୍‌ଏସ୍‌ଏ) କାର୍ଯ୍ୟାଳୟର ପ୍ରୋଗ୍ରାମର ଚନ୍ଦ୍ରଜିତ ପରିଜା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍କୁଲରେ ଡିଜିଟାଲ ବ୍ଲାକ୍‌ବୋର୍ଡ ସ୍ଥାପନ କରିଥିବା ଜଣେ ଠିକାଦାରଙ୍କ ବକେୟା ବିଲ୍‌ ପାସ୍‌ ପାଇଁ ଶ୍ରୀ ପରିଜା ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା। ସେ କ୍ରୟ ଓ ବୈଷୟିକ କମିଟିର ସଦସ୍ୟ ଥିବାରୁ ସ୍ଥାପନ କାର୍ଯ୍ୟ ଯାଞ୍ଚ କରି ପ୍ରମାଣପତ୍ର ଦେବା ପରେ ବିଲ୍‌ ମଞ୍ଜୁର ହେବାର ବ୍ୟବସ୍ଥା ରହିଛି। ତେବେ ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ, କାର୍ଯ୍ୟ ଯାଞ୍ଚ ଓ ପ୍ରମାଣପତ୍ର ଦେବା ପାଇଁ ଶ୍ରୀ ପରିଜା ୩୦ ହଜାର ଟଙ୍କା ଦାବି କରିଥିଲେ। ଟଙ୍କା ଦେବାକୁ ଅସମ୍ମତ ହେବାରୁ ବିଲ୍‌ ପ୍ରକ୍ରିୟା ଆଗକୁ ବଢ଼ାଯାଉନଥିବା ଅଭିଯୋଗ ହେବା ପରେ ଠିକାଦାର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏହାପରେ ଭିଜିଲାନ୍ସ ପକ୍ଷରୁ ଯୋଜନା କରାଯାଇଥିଲା। ଯୋଜନା ଅନୁଯାୟୀ, ଗୁରୁବାର ଅଭିଯୋଗକାରୀଙ୍କ ଠାରୁ ୩୦ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଟିମ୍‌ ଶ୍ରୀ ପରିଜାଙ୍କୁ ଧରିଥିଲା। ତାଙ୍କଠାରୁ ଅଭିଯୋଗ ଅନୁଯାୟୀ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହି ଘଟଣା ପରେ ଶ୍ରୀ ପରିଜାଙ୍କ ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ଯାଞ୍ଚ ପାଇଁ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍‌ ତାଙ୍କ ସହ ଜଡ଼ିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରଖିଛି। ଏନେଇ କଟକ ଭିଜିଲାନ୍ସ ଥାନାରେ ମାମଲା ନମ୍ବର ୩୯/୨୦୨୬ ରୁଜୁ ହୋଇଛି। ଧାରା ୭, ପିସି (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ