ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ୟାଙ୍କ ଛକରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ଓ ଏହି ଘଟଣାରେ ନନ୍ଦିପଦା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଵା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଅଭିଯୁକ୍ତଙ୍କ ନିକଟରୁ ୬୫ ହଜାର ଟଙ୍କା ଉଦ୍ଧାର କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ସୂଚନା ଅନୁଯାୟୀ, ବେତିରା ଗ୍ରାମର ଦୀପରଞ୍ଜନ ପାଢ଼ୀ ହାଟଡିହି ବ୍ୟାଙ୍କ ଛକରେ ଏକ ଗ୍ରୋସରୀ ଦୋକାନ କରିଛନ୍ତି। ଗତ ରବିବାର ରାତିରେ ଜଳକଳଙ୍ଗ ଗ୍ରାମର ସଞ୍ଜୟ ସେଠୀ ନାମକ ଜଣେ ଯୁବକ ଦୋକାନରେ ଶୋଇଥିବା ସେଲ୍ସମ୍ୟାନ୍‌ଙ୍କୁ ଛୁରି ଦେଖାଇ ଭୟଭୀତ କରିଥିଲେ। ପରେ ଦୋକାନର କ୍ୟାସ୍‌ ଡ୍ରୟରରୁ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ସେଠାରୁ ପଳାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଦୋକାନ ମାଲିକ ଦୀପରଞ୍ଜନ ପାଢ଼ୀ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍‌ ନଂ ୩୭୬/୨୦୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ସେଲ୍ସମ୍ୟାନ୍‌ଙ୍କ ସୂଚନାକୁ ଆଧାର କରି ପୁଲିସ ଜଳକଳଙ୍ଗ ଗ୍ରାମର ସଞ୍ଜୟ ସେଠୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏହା ସହ ତାଙ୍କ ନିକଟରୁ ୬୫ ହଜାର ଟଙ୍କା ଉଦ୍ଧାର କରିଥିଲା। ଏହି ଲୁଟ୍‌ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସ ଅଧିକ ତଦନ୍ତ ଚଳାଇଥିବା ନନ୍ଦିପଦା ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି। ପରେ ସୋମବାର ଅପରାହ୍ନରେ ଅଭିଯୁକ୍ତ ସଞ୍ଜୟ ସେଠୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ