ନାଉଗାଁରେ ‘ସେବା ସଂକଳ୍ପ ଅଭିଯାନ’

ନାଉଗାଁ , (ଓ୍ବାଇଏନଏସ) : ଓଡ଼ିଶା ସରକାରଙ୍କ ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମଙ୍ଗଳବାର ସମବାୟ ବିଭାଗ ଏବଂ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ‘ରଙ୍ଗୋଲି ରାଷ୍ଟ୍ର’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ‘ବିକଶିତ ଓଡ଼ିଶା ପାଇଁ ବିକଶିତ ଭାରତ’ର ସଂକଳ୍ପକୁ ସାକାର କରିବା ସହ ସରକାରୀ ଯୋଜନାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ସମବାୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ମେଗା ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ ମାଧ୍ୟମରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ସମବାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଅଧିକ ଲୋକଙ୍କୁ ଏଥିରେ ସାମିଲ କରିବା ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନ ଅଧୀନରେ ଜଗତସିଂହପୁର ଡିଭିଜନରେ ୭୦ ହଜାର ନୂତନ ସଦସ୍ୟଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସମବାୟ ମାଧ୍ୟମରେ ଲୋକଙ୍କ ମଧ୍ୟରେ ସହଯୋଗ, ସହଭାଗିତା ଓ ସଦ୍‌ଭାବନା ବୃଦ୍ଧି କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ। ସେହିପରି ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ବୟନଶିଳ୍ପ ବିକାଶ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ହସ୍ତଶିଳ୍ପ ଅଭିବୃଦ୍ଧି ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ଏହି ଯୋଜନାଗୁଡ଼ିକର ସୁଫଳ ବୁଣାକାର, ହସ୍ତଶିଳ୍ପୀ ଓ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ସହ ସେମାନଙ୍କୁ ସରକାରୀ ସୁବିଧା ସମ୍ପର୍କରେ ଅବଗତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ସମବାୟ ସମିତିର ଭାରପ୍ରାପ୍ତ ଉପନିବନ୍ଧକ ପିଙ୍କି ହାସଁଦା, ଭାରପ୍ରାପ୍ତ ସହକାରୀ ନିବନ୍ଧକ ଜିତେନ୍ଦୁ ଦାଶ,ହସ୍ତଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ ଅଜିତ କୁମାର ଭୋଇ , ଶିଳ୍ପ ପ୍ରୋତ୍ସାହନ ଅଧିକାରୀ ସୌମ୍ୟା ପରିଡ଼ା,ହସ୍ତଶିଳ୍ପ ପ୍ରୋତ୍ସାହନ ଅଧିକାରୀ ଗୌରବ ସେନାପତି,ସମବାୟ ସମିତି ନିରୀକ୍ଷକ ମିତାଲି ବୋଷ ଓ ରୁବୁ ମହାନ୍ତି ଆଦି ଯୋଗ ଦେଇଥିଲେ। ଡେରିକି ସେବା ସମବାୟ ସମିତିର ସମ୍ପାଦକ ବାପୁଜୀ ଜେନା, ତିରୁଣାର ରଞ୍ଜନ କୁମାର ବେହେରା, ଗଜରାଜପୁରର ମଙ୍ଗଳାକାନ୍ତ ମହାନ୍ତି, ଅଲଣାର ବନ୍ଦିତା ରାୟଙ୍କ ସମେତ ନାଉଗାଁ, ଶିଖର ଓ ଅନ୍ୟ ସମବାୟ ସମିତିର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ