ସେବା ସଂକଳ୍ପ ଅଭିଯାନରେ ‘ୟଙ୍ଗ ମାଇଣ୍ଡସ୍‌’ ସ୍ଲୋଗାନ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ସଡ଼କ ସୁରକ୍ଷା ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରିବା, ଟ୍ରାଫିକ୍ ନିୟମ ପାଳନ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ଏବଂ ସୁରକ୍ଷିତ ଯାତାୟାତର ବାର୍ତ୍ତାକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ‘ସେବା ସଂକଳ୍ପ ଅଭିଯାନ’ ଅଧିନରେ ‘ୟଙ୍ଗ ମାଇଣ୍ଡସ୍ – ସ୍ଲୋଗାନ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା’ ଆୟୋଜିତ ହୋଇଯାଇଛି। କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସଭାଗୃହରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆରଟିଓ କାର୍ଯ୍ୟାଳୟର ସମସ୍ତ ମୋଟର ଯାନ ନିରୀକ୍ଷକ ଓ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ଏହି ପ୍ରତିଯୋଗିତାରେ ଅଷ୍ଟମରୁ ଦଶମ ଶ୍ରେଣୀର ୭୫ ଜଣ ଛାତ୍ରଛାତ୍ରୀ ଉତ୍ସାହର ସହ ଭାଗ ନେବା ପାଇଁ ପଞ୍ଜିକରଣ କରିଥିଲେ। ସ୍ଲୋଗାନ୍ ଲିଖନ ଓ ଚିତ୍ରାଙ୍କନ ମାଧ୍ୟମରେ ସେମାନେ ସଡ଼କ ସୁରକ୍ଷା, ଟ୍ରାଫିକ୍ ନିୟମର ଅନୁପାଳନ, ହେଲମେଟ୍ ଓ ସିଟ୍‌ବେଲ୍ଟର ବ୍ୟବହାର ତଥା ଦାୟିତ୍ୱପୂର୍ଣ୍ଣ ଯାତାୟାତର ଗୁରୁତ୍ୱ ସମ୍ପର୍କିତ ବାର୍ତ୍ତାକୁ ସୃଜନଶୀଳ ଢଙ୍ଗରେ ଉପସ୍ଥାପନ କରିଥିଲେ। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କ ମଧ୍ୟରେ ଛୋଟବେଳୁ ସଡ଼କ ସୁରକ୍ଷା ସମ୍ପର୍କିତ ଉତ୍ତମ ଅଭ୍ୟାସ ଗଢ଼ି ତୋଳିବା। ଛାତ୍ରଛାତ୍ରୀମାନେ ନିଜେ ଟ୍ରାଫିକ୍ ନିୟମ ପାଳନ କରିବା ସହ ନିଜ ପରିବାର, ବନ୍ଧୁବାନ୍ଧବ ଓ ସମାଜର ଅନ୍ୟମାନଙ୍କୁ ମଧ୍ୟ ସଡ଼କ ସୁରକ୍ଷା ପ୍ରତି ସଚେତନ କରିପାରିବେ। ଏହା ଦ୍ୱାରା ଦୁର୍ଘଟଣା ହ୍ରାସ ସହ ଏକ ସୁରକ୍ଷିତ ଓ ଶୃଙ୍ଖଳିତ ଯାତାୟାତ ବ୍ୟବସ୍ଥା ଗଠନ ଦିଗରେ ସକାରାତ୍ମକ ପରିବର୍ତ୍ତନ ଆସିପାରିବ। କାର୍ଯ୍ୟକ୍ରମର ଅପରାହ୍ନ ଅଧିବେଶନରେ ଆୟୋଜିତ ପୁରସ୍କାର ବିତରଣୀ ସମାରୋହରେ ଜିଲ୍ଲାପାଳ ରଘୁରାମ ଆର. ଆୟର ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଏହା ସେମାନଙ୍କ ସୃଜନଶୀଳତାକୁ ସ୍ୱୀକୃତି ଦେବା ସହ ସଡ଼କ ସୁରକ୍ଷା ସଚେତନତା କ୍ଷେତ୍ରରେ ଆଗାମୀ ଦିନରେ ଅଧିକ ସକ୍ରିୟ ଭାବେ ଯୋଗଦାନ କରିବାକୁ ପ୍ରେରଣା ଯୋଗାଇଥିଲା। ସଡ଼କ ସୁରକ୍ଷା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ। ଟ୍ରାଫିକ୍ ନିୟମ ପାଳନ, ସତର୍କତାର ସହ ଗାଡ଼ି ଚାଳନା ଏବଂ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ସମ୍ବେଦନଶୀଳ ହେବା ଦ୍ୱାରା ଅନେକ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିବ। ‘ୟଙ୍ଗ ମାଇଣ୍ଡସ୍‌’ ଭଳି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ସଡ଼କ ସୁରକ୍ଷାର ସଚେତନ ଦୂତ ଭାବେ ଗଢ଼ି ତୋଳିବା ସହ ଏକ ଦୁର୍ଘଟଣାମୁକ୍ତ ସମାଜ ଗଠନରେ ସହାୟକ ହେବ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ