କ୍ଲଷ୍ଟର ସ୍ତରୀୟ ‘ସୁରଭି-୨୦୨୬’ ଅନୁଷ୍ଠିତ

ରାଇକିଆ , (ଆଦିତ୍ୟ ପ୍ରସାଦ ପାଢୀ): କନ୍ଧମାଳ ଜିଲା ରାଇକିଆ ବ୍ଲକ ଚୁନପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ବେଶ୍ ଉତ୍ସାହ ଓ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଯାଇଛି। କ୍ଲଷ୍ଟର ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟରୁ ସମୁଦାୟ ୧୭୪ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି ନିଜର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିଥିଲେ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚୁନପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶଶିକଳା ପ୍ରଧାନ ସଭାପତିତ୍ୱ କରିଥିଲେ । ଗୋଷ୍ଠୀ ସହକାରୀ ଶିକ୍ଷାଧିକାରୀ ମାଧବ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଉତ୍ସବରେ ବେରେଡ଼ାକିଆ ସରପଞ୍ଚ ଅକ୍ଷୟ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ପାଠପଢ଼ା ସହିତ ସୃଜନଶୀଳ କାର୍ଯ୍ୟକ୍ରମ ପିଲାମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ରାଇକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳକୃଷ୍ଣ ପ୍ରଧାନ ସମ୍ମାନିତ ଅତିଥି ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଭିମନ୍ୟୁ ପଣ୍ଡା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତର୍କ, ବକ୍ତୃତା, ସଙ୍ଗୀତ, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ସୃଜନଶୀଳ ଲିଖନ ଏବଂ ପ୍ରଧାନମନ୍ତ୍ରୀ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ, ହସ୍ତଶିଳ୍ପ ଓ କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ମହମ୍ମଦ କେଶରୀ ପ୍ରଧାନ ଓ ଦିବସ ପ୍ରଧାନ ମଞ୍ଚ ପରିଚାଳନା ଦାୟିତ୍ୱ ତୁଲାଇଥିଲେ। କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଚୁନାପଲ୍ଲୀ କ୍ଲଷ୍ଟର ସିଆରସିସି ମିଳନ କୁମାର ପ୍ରଧାନ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଶେଷରେ ସମସ୍ତ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ