ଅଦାଲତର ଜବାବ୍ ତଲବ ପରେ ଖୋଲିଲା କୋଣାର୍କ ମନ୍ଦିର ପ୍ରସ୍ଥାନ

କୋଣାର୍କ (ଓ୍ବାଇଏନଏସ): ବିଶ୍ୱ ଐତହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରରେ ବେଆଇନ୍ ପ୍ରବେଶିକା ଶୁଳ୍କ ଆଦାୟ , ପ୍ରତ୍ନତତ୍ତ୍ୱ ବିଭାଗର ମନମୁଖୀ କାର୍ଯ୍ୟକଳାପ ମନ୍ଦିରର ସଂରକ୍ଷଣ ନେଇ ଉଦାସୀନତା , ବ୍ୟବସାୟିକ ମନୋଭାବ ପୋଷଣ , ମନ୍ଦିର ପରିସରରେ ଦୀର୍ଘ ଦିନ ଧରି ପୂଜା ପାଉଥିବା ନବଗ୍ରହ ପୀଠର ଚତୁଃପାର୍ଶ୍ୱରେ ତାର ବାଡ଼ ପକାଇ ସଙ୍କୁଚିତ କରି ଏଠାରେ ପ୍ରବେଶ ପ୍ରସ୍ଥାନ ଦ୍ୱାରକୁ ବନ୍ଦ କରିବା,ଏଠାରେ ପୂଜା ହୋମ ଯଜ୍ଞ , ପୂଜାସାମଗ୍ରୀ ବିକ୍ରୀ ଆଦିକୁ ବନ୍ଦ ଉଦ୍ୟମ କରିବା ଓ ସର୍ବୋପରି ଏହି ପୀଠକୁ ସ୍ଥାନାନ୍ତର କରିବାର ହୀନ ମସୁଧାକୁ ବିରୋଧ କରି ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ଦୁଇଟି ନାଗରିକ ସଂଗଠନ ପକ୍ଷରୁ ସ୍ଥାନୀୟ ଅଦାଲତରେ ଏକ ମାମଲା ରୁଜ୍ଜୁ କରାଯାଇଛି। ଏହି ମାମଲାର ବିଚାର କରି ଅଦାଲତ ପକ୍ଷରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜବାବ୍ ତଲବ କରାଯାଇଥିବାରୁ ନୋଟିସ୍ ପାଇ, ପ୍ରତ୍ନତତ୍ତ୍ୱ ବିଭାଗ ତରବରିଆ ଭାବେ ପ୍ରସ୍ଥାନ ଦ୍ୱାର ଖୋଲିଦେଇଛନ୍ତି। ଖବରରୁ ପ୍ରକାଶ ଯେ ଗତ କିଛିଦିନ ହେବ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବିଶ୍ୱ ଐତିହ୍ୟ ସ୍ଥଳ କୋଣାର୍କ ମନ୍ଦିର ପରିସରରେ ପୂଜା ପାଉଥିବା ନବଗ୍ରହ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଛି। ପ୍ରଥମତଃ ବିଭାଗ ପକ୍ଷରୁ ନବଗ୍ରହ ମନ୍ଦିରର ଚତୁଃପାଶ୍ୱର୍କୁ ତାରବାଡ଼ ଘେରାଇ ସଙ୍କୁଚିତ କରାଯାଇଥିଲା।ପରେ ଏଠାରେ ପୂଜାସାମଗ୍ରୀ ବିକ୍ରୀ ହୋମ ଯଜ୍ଞ ଉପରେ ବାରଣ କରାଯାଇଥିଲା।ଏପରିକି ଭୋଗ ବିକ୍ରୀ ଦୋକାନ ଗୁଡିକ ଜୋର୍ ଜବରଦସ୍ତି ଭାବେ ଜବତ କରାଯାଇ,ଅନ୍ୟତ୍ର ଉଠାଇ ଦିଆଯାଇଥିଲା। ପୁନର୍ବାର କୋଣାର୍କ ମନ୍ଦିରର ପ୍ରସ୍ଥାନ ଦ୍ୱାର ନବଗ୍ରହ ମନ୍ଦିର ଦେଇ ଯାଉଥିବାରୁ ବାହାର ପର୍ଯ୍ୟଟକ ଯେପରି ନବଗ୍ରହ ଦର୍ଶନ କରି ନ ପାରିବେ ସେଥିପାଇଁ ମନ୍ଦ ଉଦ୍ଦେଶ୍ୟ ରଖି ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏହି ପ୍ରସ୍ଥାନ ଦ୍ୱାରକୁ ବନ୍ଦ ରଖାଯାଇଥିଲା। କିନ୍ତୁ ଏହି ଅତ୍ୟାଚାରର ପ୍ରତିବାଦ ପୂର୍ବକ କୋଣାର୍କ ଅଞ୍ଚଳର ଦୁଇ ଅଗ୍ରଣୀ ନାଗରିକ ସଂଗଠନ କୋଣାର୍କ – ଗୋପ ଉନ୍ନୟନ ଟ୍ରଷ୍ଟ ଓ ଓଡ଼ିଶା ବାୟୋଡାଇଭର୍ସିଟୀ ଫାଉଣ୍ଡେସନ ପକ୍ଷରୁ ଯୁଗ୍ମ ଭାବେ କୋଣାର୍କ ଅଦାଲତରେ ଏକ ମାମଲା ସିଭିଲ ସୁଟ୍ ନମ୍ବର ୭୩/୨୦୦୬ ରୁଜ୍ଜୁ କରାଯାଇଛି। ଏଥିରେ କେନ୍ଦ୍ର ସଂସ୍କୃତି ସଚିବ,ପ୍ରତ୍ନତତ୍ତ୍ୱ ବିଭାଗ ମହାନିର୍ଦ୍ଦେଶକ,ଅଧୀକ୍ଷକ ପୁରୀ ସର୍କଲ, ସ୍ଥାନୀୟ ସଂରକ୍ଷଣ ଅଧିକାରୀ,ଜିଲ୍ଲାପାଳ, ତହସିଲଦାର,ଏନଏସି କାର୍ଯ୍ୟନି୍ବାହୀ ଅଧିକାରୀ ଆଦି ୭(ସାତ) ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏହି ମାମଲାକୁ ଡଃ ରାଜେନ୍ଦ୍ର ଲାଲ ମିତ୍ର ଦ୍ୱାରା ଲିଖିତ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ,ଏଲ୍.ଏସ. ମାଲେ,ଡଃ ଦେବଲା ମିତ୍ର,ପଣ୍ଡିତ କୃପାସିନ୍ଧୁ ମିଶ୍ର,ଡଃ କରୁଣା ସାଗର  ବେହେରା ଆଦି ବିଭିନ୍ନ ଐତିହାସିକଙ୍କ ଲିଖିତ ତଥ୍ୟ ସମେତ,ବେଙ୍ଗଲ ଗେଜେଟିଅର,ଓଡ଼ିଶା ଗେଜେଟିଅର,ପୁରାତତ୍ତ୍ଵ ଆଇନ ଓ ଅନ୍ୟାନ୍ୟ ଆଇନ ଉପରେ ପର୍ଯ୍ୟବେଷିତ କରାଯାଇ ୨୦୦ ପୃଷ୍ଠାର ତଥ୍ୟ ସମ୍ବଳିତ ବିସ୍ତୃତ ଗବେଷଣାତ୍ମକ ଅଭିଯୋଗ ଦାଖଲ କରାଯାଇଛି ।ଏଥିରେ କୋଣାର୍କ ମନ୍ଦିରର ପ୍ରବେଶିକା ଶୁଳ୍କ ମୁକ୍ତ,ପୂଜା ଆଦି ସପକ୍ଷରେ ବଳିଷ୍ଠ ଆଇନଗତ ଯୁକ୍ତି ଉପସ୍ଥାପନ  କରାଯାଇଛି। ଏହି ମାମଲାଟିକୁ ମାନ୍ୟବର ସିଭିଲ ଜଜ୍ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରି ସମସ୍ତ ପକ୍ଷ ମାନଙ୍କୁ ଗତ ୨୫ ତାରିଖରେ ଜବାବ୍ ତଲବ କରାଯାଇଅଛି।ଏହି ମାମଲାର ଶୁଣାଣି ଆସନ୍ତା ୨୯ ତାରିଖକୁ ଅଛି।ଏହି ମାମଲାକୁ କୋଣାର୍କ ବାର ଆସୋସିଏସନର ସଭାପତି ଶ୍ରୀଜୟ ବରାଳଙ୍କ ସମେତ ଆଇନଜୀବୀ ମାଧବ ପତି,ଅଶୋକ ବିଶ୍ୱାଳ,ଭଗବାନ ମହାପାତ୍ର,ବିଜୟ ମହାନ୍ତି,ରଶ୍ମିତା ଶତପଥୀ, ଅଖତାରୁନ ନେଶା ପ୍ରମୁଖ ପରିଚାଳନା କରୁଛନ୍ତି। ମନ୍ଦିର ପ୍ରବେଶ ଓ ପୂଜା ଅଧିକାର ନିମନ୍ତେ,ଏକ ଦୀର୍ଘ ଆଇନଗତ ଲଢ଼େଇ କରିବାକୁ ନିଷ୍ପତ୍ତି ଆଇନଜୀବୀ ମାନେ ନିଷ୍ପତ୍ତି ନେଇଛନ୍ତି ଓ ଆବଶ୍ୟକ ସ୍ଥଳେ ସୁପ୍ରିକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ