ଚନ୍ଦ୍ରଭାଗା ସମୁଦ୍ରରେ ଅଘଟଣ : ରିପ୍ କରେଣ୍ଟ୍ରେ ଫସି ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍ଗାର୍ଡ
କୋଣାର୍କ (ଓ୍ବାଇଏନଏସ): ଚନ୍ଦ୍ରଭାଗା ସମୁଦ୍ରରେ ସ୍ନାନ କରୁଥିବା ସମୟରେ ଅଘଟଣର ସମ୍ମୁଖୀନ ହୋଇଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ସେଠାରେ ନିୟୋଜିତ ଲାଇଫ୍ଗାର୍ଡ କର୍ମଚାରୀ। ଉଦ୍ଧାର ହୋଇଥିବା ପର୍ଯ୍ୟଟକ ହେଉଛନ୍ତି ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଅଞ୍ଚଳର ୪୮ ବର୍ଷୀୟ ଶ୍ରୀନିବାସ ରାଓ। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଶ୍ରୀନିବାସ ନିଜ ପରିବାର ସହ ଚନ୍ଦ୍ରଭାଗା ସମୁଦ୍ରରେ ସ୍ନାନ କରୁଥିବା ବେଳେ ହଠାତ୍ ସମୁଦ୍ରର ପ୍ରବଳ ପ୍ରତିସ୍ରୋତ ବା ‘ରିପ୍ କରେଣ୍ଟ୍’ରେ ଫସି ଯାଇଥିଲେ। ଫଳରେ ସେ ସମୁଦ୍ରରେ ବୁଡ଼ିଯାଉଥିଲେ। ଏହି ସମୟରେ ସେଠାରେ କାର୍ଯ୍ୟରତ ଲାଇଫ୍ଗାର୍ଡ ବାବୁ ବେହେରା, ପ୍ରକାଶ ଚନ୍ଦ୍ର ବେହେରା ଓ ଓସ୍ପିଲି ରାମବାବୁ ତୁରନ୍ତ ସମୁଦ୍ରକୁ ଯାଇ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।ଲାଇଫ୍ଗାର୍ଡ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଜଣେ ପର୍ଯ୍ୟଟକଙ୍କ ଜୀବନ ରକ୍ଷା ପାଇପାରିଛି। ସମୁଦ୍ରରେ ସ୍ନାନ କରିବା ସମୟରେ ପର୍ଯ୍ୟଟକମାନେ ସତର୍କତା ଅବଲମ୍ବନ କରିବା ସହ ଲାଇଫ୍ଗାର୍ଡଙ୍କ ପରାମର୍ଶ ମାନିବା ଜରୁରୀ ବୋଲି ଏହି ଘଟଣା ପୁଣି ଥରେ ସୂଚାଇ ଦେଇଛି।


