ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଛତ୍ରପୁରରେ ଲଗାଣ ବର୍ଷା
ଛତ୍ରପୁର, (ଓ୍ବାଇଏନଏସ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଛତ୍ରପୁର ଅଞ୍ଚଳରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ପବନ ଜାରି ରହିଛି। ଏଥିଯୋଗୁଁ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଛତ୍ରପୁର ଡିଆରଡିଏ ଅଫିସ ନିକଟରେ ଥିବା ଏକ କାର ଉପରେ ଗଛ ପଡ଼ିଥିବା ଜଣାପଡ଼ିଛି। ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଟାକିରିଆ ବ୍ରହ୍ମପୁର ଗାଁ ନିକଟ ଜାତୀୟ ରାଜପଥରେ ବହୁ ଗଛ ଭାଙ୍ଗି ପଡ଼ିଛି। ସେହିପରି ବ୍ୟାଙ୍କ କଲୋନୀ, ନ୍ୟୁ ପୋଲିସ ଲାଇନ, ସର୍କିଟ ହାଉସ ନିକଟସମେତ ସହରର ବିଭିନ୍ନ ଅଞ୍ଚଳରେ ଛୋଟବଡ଼ ଗଛ ରାସ୍ତା ଉପରେ ପଡ଼ିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସୂଚନା ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ପଡ଼ିଥିବା ଗଛ କାଟି ରାସ୍ତା ସଫା କରୁଛନ୍ତି। ଫଳରେ ଧୀରେ ଧୀରେ ଯାତାୟାତ ସ୍ୱାଭାବିକ ହେଉଛି। ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ଏହାକୁ ନେଇ ନଦୀକୂଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଅନ୍ୟପଟେ ଏହି ସମୟରେ ଚାଷଜମିରେ ଧାନ ପାଚିବା ସହ କେତେକ ସ୍ଥାନରେ ଧାନ ପୁଡ଼ା ଧରୁଥିବାରୁ ଲଗାଣ ବର୍ଷା ଓ ପବନ ଯୋଗୁଁ ଧାନ ଫସଲରେ କ୍ଷତି ହେବା ଆଶଙ୍କା ଦେଖାଦେଇଛି। ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକଙ୍କ କହିବା ଅନୁଯାୟୀ, ଏହି ସମୟରେ ଲଗାଣ ବର୍ଷା ଓ ପବନ ଯୋଗୁଁ ଧାନ ଫସଲ ନିଶ୍ଚିତ ଭାବେ କ୍ଷତିଗ୍ରସ୍ତ ହେବ। ଗତ ମାସରେ ଲଘୁଚାପଜନିତ ବର୍ଷା ଯୋଗୁଁ ପନିପରିବା ଚାଷୀମାନେ କ୍ଷତି ସହିଥିବା ବେଳେ ଚଳିତ ବର୍ଷା ଓ ପବନ ପୁଣିଥରେ ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେଉଥିବା ନେଇ ଚିନ୍ତା ପ୍ରକାଶ ପାଇଛି। ଏପଟେ ବାତ୍ୟା ମୁକାବିଲା ପାଇଁ ଛତ୍ରପୁର ବ୍ଲକ ଓ ପୌରପରିଷଦ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି।


