ବାତ୍ୟା ପରବର୍ତ୍ତୀ ସ୍ଥିତି ପରଖିଲେ ଛତ୍ରପୁର ବିଧାୟକ
ଛତ୍ରପୁର, (ଓ୍ବାଇଏନଏସ) : ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିବା ସହ ଲୋକଙ୍କ ସମସ୍ୟା ଅନୁଧ୍ୟାନ ପାଇଁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ ହେବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଖବର ପାଇ ବିଧାୟକ ସମ୍ପୃକ୍ତ ସ୍ଥାନଗୁଡ଼ିକ ପରିଦର୍ଶନ କରି ସ୍ଥିତି ପରଖିଥିଲେ। ବିଭିନ୍ନ ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜାଣିବା ପରେ ରାସ୍ତା ଅବରୋଧକୁ ତୁରନ୍ତ ହଟାଇ ଯାତାୟାତ ସ୍ୱାଭାବିକ କରିବା ପାଇଁ ସେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ବିଧାୟକଙ୍କ ତତ୍ପରତା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ରାସ୍ତା ଉପରେ ପଡ଼ିଥିବା ଗଛଗୁଡ଼ିକୁ ହଟାଯାଇଥିଲା। ଏହି ସମୟରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଓଡିଆରପି କଲୋନୀରେ ଜଳବନ୍ଦୀ ହୋଇଥିବା ଲୋକଙ୍କ ସ୍ଥିତି ମଧ୍ୟ ବିଧାୟକ ପରଖିଥିଲେ। ଲଗାଣ ବର୍ଷା ଯୋଗୁଁ ଅଞ୍ଚଳରେ ବହୁ ଘର ଜଳବନ୍ଦୀ ହୋଇଥିବା ବେଳେ ଠିକ୍ ଭାବେ ପାଣି ନିଷ୍କାସନ ହୋଇନପାରିବାରୁ କୃତ୍ରିମ ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ଖବର ପାଇ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପୌରପରିଷଦର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଓ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାଣି କିପରି ଶୀଘ୍ର ନିଷ୍କାସନ ହୋଇପାରିବ, ସେନେଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ କହିଥିଲେ। ବାତ୍ୟା ପରେ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ତୁରନ୍ତ ସମାଧାନ କରିବା ସହ ରାସ୍ତାଘାଟ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ଉପରେ ବିଧାୟକ ଗୁରୁତ୍ୱ ଦେଇଥିଲେ।


