କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜା ମେଢ ଓ ମଣ୍ଡପ ପ୍ରତିଯୋଗିତା
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ାର ଐତିହାସିକ ଗଜଲକ୍ଷ୍ମୀ ପୂଜାର ଭବ୍ୟତା, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟକୁ ଆହୁରି ସମୃଦ୍ଧ କରିବା ସହ ପୂଜା କମିଟିଗୁଡ଼ିକର ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ମେଢ଼ ଓ ମଣ୍ଡପ ପ୍ରତିଯୋଗିତା–୨୦୨୬ ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାରେ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ପାଇଁ କ୍ୟୁଆର କୋଡ୍ ମାଧ୍ୟମରେ ଅନଲାଇନ୍ ଭୋଟିଂର ବ୍ୟବସ୍ଥା କରାଯାଇଛି। ପ୍ରତିଯୋଗିତାରେ ତିନୋଟି ବିଭାଗରେ ମୂଲ୍ୟାୟନ କରାଯିବ। ପ୍ରଥମ ବିଭାଗରେ ମେଢ଼ର ସୌନ୍ଦର୍ଯ୍ୟ ଓ ମା’ ଗଜଲକ୍ଷ୍ମୀଙ୍କ ମୂର୍ତ୍ତିର ଆକର୍ଷଣୀୟତା, ଦ୍ୱିତୀୟ ବିଭାଗରେ ମଣ୍ଡପର ସାଜସଜ୍ଜା, ସୁଚାରୁ ପରିଚାଳନା, ଦର୍ଶନାର୍ଥୀଙ୍କ ସୁବିଧା ଓ ଶୃଙ୍ଖଳା ଏବଂ ତୃତୀୟ ବିଭାଗରେ ବାହ୍ୟ ଆଲୋକସଜ୍ଜା, ଆକର୍ଷଣୀୟ ତୋରଣ ଓ ସୁନ୍ଦର ପ୍ରବେଶ ପଥକୁ ବିଚାରକୁ ନିଆଯିବ। ମେଢ଼ ଓ ମଣ୍ଡପ ପ୍ରତିଯୋଗିତା ପାଇଁ ଅନଲାଇନ୍ ଭୋଟିଂ ୧ ନଭେମ୍ବର ୨୦୨୬ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ସମୟସୀମା ମଧ୍ୟରେ ଜନସାଧାରଣ ନିଜ ପସନ୍ଦର ମେଢ଼ ଓ ମଣ୍ଡପକୁ ଭୋଟ୍ ଦେଇପାରିବେ। ଭୋଟ୍ ଦେବା ପାଇଁ ଜନସାଧାରଣ ସମ୍ପୃକ୍ତ ପୂଜା ମଣ୍ଡପରେ ଉପଲବ୍ଧ କ୍ୟୁଆର କୋଡ୍ ସ୍କାନ୍ କରିପାରିବେ। ଏହା ସହିତ ଜିଲ୍ଲା ପ୍ରଶାସନର ଅଫିସିଆଲ୍ (ପୂର୍ବତନ ଟୁଇଟର), ଫେସବୁକ ଓ ଇନଷ୍ଟାଗ୍ରାମ ପୃଷ୍ଠା ପରିଦର୍ଶନ କରି ମଧ୍ୟ କ୍ୟୁଆର କୋଡ୍ ପାଇପାରିବେ। କ୍ୟୁଆର କୋଡ୍ ସ୍କାନ୍ କରି ଅନଲାଇନ୍ ଫର୍ମ ଖୋଲିବା ପରେ ନିଜ ପସନ୍ଦର ମେଢ଼ ଓ ମଣ୍ଡପକୁ ଚୟନ କରି ଭୋଟ୍ ଦାଖଲ କରିପାରିବେ। ମେଢ଼ ଓ ମଣ୍ଡପ ପ୍ରତିଯୋଗିତାର ଭୋଟିଂ ସମୟସୀମା ଶେଷ ହେବା ପରେ ଭସାଣି ମେଲଣ ପାଇଁ ଭୋଟିଂ ବ୍ୟବସ୍ଥା ଖୋଲା ରହିବ। ଏହି ପର୍ଯ୍ୟାୟରେ ମଧ୍ୟ ଜନସାଧାରଣ ନିର୍ଦ୍ଧାରିତ କ୍ୟୁଆର କୋଡ୍ ସ୍କାନ୍ କରି ନିଜର ମତ ପ୍ରଦାନ କରିପାରିବେ। ଭସାଣି ମେଲଣ ସମୟରେ ମେଢ଼ଗୁଡ଼ିକର ପ୍ରଦର୍ଶନକୁ ମଧ୍ୟ ବିଚାରକୁ ନିଆଯିବ। ଜଣେ ବ୍ୟକ୍ତି ମେଢ଼ ଓ ମଣ୍ଡପ ପ୍ରତିଯୋଗିତାରେ କେବଳ ଥରେ ଭୋଟ୍ ଦେଇପାରିବେ। ଜନସାଧାରଣଙ୍କୁ ନିରପେକ୍ଷ ଓ ସଚ୍ଚୋଟ ଭାବେ ନିଜର ମୂଲ୍ୟବାନ ମତ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ଏହି ପ୍ରତିଯୋଗିତା ମାଧ୍ୟମରେ ପୂଜା କମିଟିଗୁଡ଼ିକର କଳାତ୍ମକ ଦକ୍ଷତା, ସୃଜନଶୀଳତା ଓ ସାମୂହିକ ଉଦ୍ୟମକୁ ସ୍ୱୀକୃତି ଦେବା ସହ କେନ୍ଦ୍ରାପଡ଼ାର ଗୌରବମୟ ଗଜଲକ୍ଷ୍ମୀ ପୂଜା ପରମ୍ପରାକୁ ଆହୁରି ଆକର୍ଷଣୀୟ କରିବା ଲକ୍ଷ୍ୟ ରହିଛି। ଏଣୁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ କ୍ୟୁଆର କୋଡ୍ ସ୍କାନ୍ କରି ଭୋଟ୍ ଦେବା ସହ ଏହି ଅଭିନବ ପଦକ୍ଷେପରେ ସକ୍ରିୟ ଅଂଶଗ୍ରହଣ କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।


