ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ଓ ଉଦ୍ଘାଟନ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଓ ଏନ ଏ ସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶନିବାର ଧାମନଗର ବିଧାୟକ ତଥା ମାନ୍ୟବର ମନ୍ତ୍ରୀ,ଉଚ୍ଚଶିକ୍ଷା,କ୍ରୀଡ଼ା ଓ ଯୁବ ସେବା,ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାର ସୂର୍ଯ୍ୟବଂଶୀ ସୁରଜ, ମାନ୍ୟବର ସାଂସଦ ଅଭିମନ୍ୟୁ ସେଠୀ ଭଦ୍ରକ ଏବଂ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ,ଭା.ପ୍ର.ସେ. ଧାମନଗର ବ୍ଲକର କେତେକ ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି।ଧାମନଗର ଏନ୍.ଏ.ସି.ର ବିକାଶ ଯାତ୍ରାରେ ଏକ ନୂତନ ଅଧ୍ୟାୟ ଯୋଡ଼ି ଭଦ୍ରକ ସାଂସଦ ଶ୍ରୀ ଅଭିମନ୍ୟୁ ସେଠୀଙ୍କ ଉପସ୍ଥିତିରେ ଜୟନଗରଠାରେ ୫୦୦ ଏବଂ ଦକ୍ଷିଣବାଡ଼ଠାରେ ୩୦୦ କ୍ଷମତା ବିଶିଷ୍ଟ ଦୁଇଟି ବହୁମୁଖୀ ସଭାଗୃହର ଉଦ୍ଘାଟନ କରାଯାଇଛି। ଧାମନଗରକୁ ଏକ ଆଧୁନିକ ଓ ସୁଦୃଢ଼ ସହର ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହାସହ ଦକ୍ଷିଣବାଡ଼ଠାରେ ପୂର୍ତ୍ତ ବିଭାଗ ରାସ୍ତାରୁ ସନ୍ତୋଷ ଯେନାଙ୍କ ଘର ଭାୟା ଦୁର୍ଗା ଦାଣ୍ଡ ରାସ୍ତାର ଉନ୍ନତିକରଣ ଏବଂ ଧାମନଗର ମେଳଣ ପଡ଼ିଆରେ ନୂତନ ଯଜ୍ଞ ମଣ୍ଡପ ନିର୍ମାଣର ଶୁଭ ଶିଳାନ୍ୟାସ କରାଯାଇଛି।ଏହି ଅବସରରେ ମାନ୍ୟବର ମନ୍ତ୍ରୀ, ମାନ୍ୟବର ସାଂସଦ ଓ ଜିଲ୍ଲାପାଳ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ପ୍ରକଳ୍ପଗୁଡ଼ିକର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗୁଣାତ୍ମକ କାର୍ଯ୍ୟ ସମାପନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକକ୍ଷଣ ଯନ୍ତ୍ରୀ ହିମାଦ୍ରୀ ତନ୍ୟ ସାମଲ,ଏସ ଡି ଓ କୃତିବାସ ମହାପାତ୍ର,କନିଷ୍ଠ ଯନ୍ତ୍ରୀ ରୁପ୍ କୁମାର ମୁଣ୍ଡା,ବିଡ଼ିଓ ବଳବିହାରୀ ଦିନ୍ଦା,ଏନ ଏ ସି ର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଦେବବ୍ରତ ମହାପାତ୍ର ଓ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।


