ରାଜ୍ୟ ମହିଳା ଓ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଗଜପତି ଗସ୍ତ: ଅଙ୍ଗନବାଡ଼ି କେନ୍ଦ୍ର ଜଣଙ୍କ ବାରଣ୍ଡାରେ ଚାଲୁଥିବା ଦେଖି ଉଦବେଗ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ରାଜ୍ୟ ମହିଳା ଓ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ବାତ୍ୟା ଅର୍ଣ୍ଣବ’ର ପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ପ୍ରଭାବ ମହିଳା ଓ ଶିଶୁଙ୍କ ଜୀବନଜୀବିକା, ସୁରକ୍ଷା ଓ ଶିକ୍ଷା ଉପରେ କିପରି ପ୍ରଭାବ ପଡ଼ିଛି, ତା’ର ବାସ୍ତବ ସ୍ଥିତି ପରଖିବା ପାଇଁ ଗଜପତି ଜିଲ୍ଲାରେ ପହଞ୍ଚି ବିଭିନ୍ନ ଅଞ୍ଚଳ ଗସ୍ତ କରି ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି. ଏହି ଅନୁଧ୍ୟାନ ବେଳେ ଗଜପତି ଜିଲ୍ଲାର ଏକ ଅଙ୍ଗନବାଡି କେନ୍ଦ୍ର ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଚାଲୁ ରହିଥିବା ଦେଖି ଉଦବେଗ ପ୍ରକାଶ କରିଥିଲେ. ଗତକାଲି ସେ ମୋହନା ବ୍ଲକର ବିଭିନ୍ନ ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଗ୍ରାମ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ତୃଣମୂଳସ୍ତରରେ ମହିଳା, ଶିଶୁଙ୍କୁ ମିଳୁଥିବା ସୁବିଧାର ତଦାରଖ କରିଥିଲେ | ଏହି ବ୍ଲକର ପିଣ୍ଡିକି ଗ୍ରାମକୁ ଗସ୍ତ ସମୟରେ ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ଦୟନୀୟ ସ୍ଥିତି ଦେଖି ଅଧ୍ଯକ୍ଷା ଅସନ୍ତୋଷ ପ୍ରକାଶ କରିଥିଲେ। କେନ୍ଦ୍ର ପାଇଁ ନିର୍ମାଣାଧୀନ ଗୃହ ଦୀର୍ଘଦିନ ଧରି ଅଧପନ୍ତରିଆ ହୋଇ ପଡ଼ିଥିବାରୁ ପିଲାମାନଙ୍କୁ ଗ୍ରାମର ଜଣକ ବାରଣ୍ଡାରେ ପାଠପଢ଼ା ଯାଉଥିବା ଦେଖିଥିଲେ। ଅଙ୍ଗନବାଡ଼ି ଭଳି ମୌଳିକ ଶିଶୁଯତ୍ନ ଓ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଏଭଳି ଅବ୍ୟବସ୍ଥାକୁ ସେ ଗୁରୁତ୍ବର ସହ ନେଇଥିଲେ | ଅର୍ଦ୍ଧନିର୍ମିତ କେନ୍ଦ୍ରକୁ ଏଯାଏଁ ସମ୍ପୂର୍ଣ୍ଣ କରାଯାଇ ନଥିବାର କାରଣ ଜାଣିବା ସହ ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଡିଓଙ୍କୁ ତାଗିଦ୍ କରିଥିଲେ. ସେହିଭଳି, ବାଡ଼ିପଙ୍କା ଗ୍ରାମରେ ଥିବା ବିଦ୍ୟାଳୟ ପରିଦର୍ଶନ କରି ସେଠାକାର ସ୍ଥିତି ଯାଞ୍ଚ କରିଥିଲେ । ଢେପାନାୟୁ ଗ୍ରାମରେ ବନ୍ୟା ବିପନ୍ନଙ୍କୁ ଭେଟି ବାତ୍ୟା ଓ ବନ୍ୟା ପରେ ସେମାନଙ୍କ ସମସ୍ୟା, କ୍ଷୟକ୍ଷତି ଓ ଆବଶ୍ୟକ ସହାୟତା ସମ୍ପର୍କରେ ପଚାରି ବୁଝିଥିଲେ। ତଲାସିଂ ଗ୍ରାମରେ ଥିବା ଆବାସିକ ବିଦ୍ୟାଳୟ ପରିଦର୍ଶନ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ. ବିଦ୍ୟାଳୟରେ ସେମାନଙ୍କ ରହଣି, ଖାଦ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ସ୍ଥିତି ପଚାରି ବୁଝିଥିଲେ। ତାଙ୍କ ଗସ୍ତ ସମୟରେ ମୋହନା ବିଡିଓ, ତହସିଲଦାର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।


