ଗୁଡାରି ରେଞ୍ଜରେ ବନବିଭାଗର ଚଢ଼ାଉ: ବାଘଛାଲ ଜବତ,୪ ଗିରଫ
ଗୁଣୁପୁର (ୱାଇ ଏନ ଏସ): ରାୟଗଡ଼ା ଜିଲ୍ଲା ଗୁଣୁପୁର-ଗୁଡାରି ବନଖଣ୍ଡ ଅନ୍ତର୍ଗତ ନାଇରା ସେକ୍ସନର କଣ୍ଣପାଡୁ ନିକଟରୁ ଏକ କଲରାପତରିଆ ବାଘର ଛାଲକୁ ବନବିଭାଗ ଜବତ କରିଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ୩ଟି ବାଇକ୍, ୪ଟି ମୋବାଇଲ୍ ଫୋନ୍ ଓ ବାଘଛାଲ ଜବତ ହୋଇଥିବା ଜଣାପଡିଛି। ଡିଏଫ୍ଓଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଏସିଏଫ୍ ସଚ୍ଚିଦାନନ୍ଦ ସେଠୀ ଓ ସତୀଶ କୁମାର ଧାରୁଆଙ୍କ ଉପସ୍ଥିତିରେ ଗୁଣୁପୁର ଓ ଗୁଡାରି ରେଞ୍ଜର ବନ କର୍ମଚାରୀମାନେ ଏହି ଚଢ଼ାଉ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ଯୋଜନାବଦ୍ଧ ଭାବେ ଚଢ଼ାଉ କରିଥିବାବେଳେ କଣ୍ଣପାଡୁ ମନ୍ଦିରର ପୂଜକ ଗୌରୀଶଙ୍କର ରଣା ବାଘଛାଲ ଧରି ଖସିଯିବାକୁ ଉଦ୍ୟମ କରୁଥିବା ସମୟରେ ବନ କର୍ମଚାରୀଙ୍କ ହାତରେ ଧରାପଡ଼ିଥିବା କୁହାଯାଇଛି।ଗିରଫ ଅଭିଯୁକ୍ତମାନେ ହେଲେ ପଦ୍ମପୁର ବ୍ଲକ୍ ଡେରିଗାଁ ପଞ୍ଚାୟତର ଗୌରୀଶଙ୍କର ରଣା, ପଦ୍ମପୁରର ଶ୍ରୀରାମ ପାତ୍ର, ତାଙ୍କର ଗଞ୍ଜାମ ଜିଲ୍ଲା ଶେରଗଡ଼ ବୋଲି ଜଣାପଡ଼ିଛି। ଅନ୍ୟ ଦୁଇଜଣ ହେଲେ ପଦ୍ମପୁର ବ୍ଲକ୍ର ଅବସରପ୍ରାପ୍ତ ଶିକ୍ଷକ ପିଲିପ ବିଡ଼ିକା ଏବଂ କନ୍ଧମାଳ ଜିଲ୍ଲା ତାଜୁଙ୍ଗିଆ ପଦାସାହିର ମରେନ ମଲ୍ଲିକ। ବନବିଭାଗ ପକ୍ଷରୁ ଜବତ ବାଘଛାଲର ମାପ ନିଆଯାଇଥିବାବେଳେ ଏହାର ଓସାର ୧୦୭ ସେଣ୍ଟିମିଟର ଓ ଲମ୍ବ ୨୫୦ ସେଣ୍ଟିମିଟର ରହିଥିବା ଆସିଷ୍ଟାଣ୍ଟ କନଜରଭେଟର ଅଫ୍ ଫରେଷ୍ଟ ସଚ୍ଚିଦାନନ୍ଦ ସେଠୀ ସୂଚନା ଦେଇଛନ୍ତି। ଏହି ବାଘଛାଲ କେଉଁ ଅଞ୍ଚଳର ବାଘର ଏବଂ ବାଘ ଶିକାର ପଛରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ବନବିଭାଗ ତଦନ୍ତ ଜାରି ରଖିଛି। ଏହି ବନ୍ୟଜନ୍ତୁ ଶିକାର ଓ ଚୋରାଚାଲାଣ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ତାହାର ତଦନ୍ତ ଚାଲିଥିବା ନେଇ ରେଞ୍ଜର ପ୍ରଦୀପ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।


