କଟକରେ ବାଲିଘାଟ ଇ-ଲଟେରୀକୁ ନେଇ ପ୍ରଥମ ଦିନରୁ ବିବାଦ

କଟକ, (ଓ୍ବାଇଏନଏସ): କଟକ ଜିଲ୍ଲାରେ ବାଲିଘାଟ ଲିଜ୍ ଆବଣ୍ଟନ ପାଇଁ ଆରମ୍ଭ ହୋଇଥିବା ଇ-ଲଟେରୀ ପ୍ରକ୍ରିୟାକୁ ନେଇ ପ୍ରଥମ ଦିନରୁ ହିଁ ବିବାଦ ଦେଖାଦେଇଛି। ଲିଜ୍‌ଧାରୀ ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଉନଥିବା ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ କରିଛନ୍ତି ଆବେଦନକାରୀ। ଏପରିକି ଇ-ଲଟେରୀ ମାଧ୍ୟମରେ ଲିଜ୍‌ଧାରୀ ଚୟନର ଆଧାର ଓ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରିବା ସହ ଏହାକୁ ବାତିଲ୍ କରିବା ପାଇଁ ଦାବି ଉଠିଛି। ସୂଚନା ଅନୁଯାୟୀ, କଟକ ଜିଲ୍ଲାର ବିଭିନ୍ନ ତହସିଲ ଅଞ୍ଚଳରେ ମୋଟ ୩୭ଟି ବାଲିଘାଟ ଲିଜ୍ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଏହି ବାଲିଘାଟଗୁଡ଼ିକର ଆବଣ୍ଟନ ଇ-ଲଟେରୀ ବ୍ୟବସ୍ଥାରେ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାଦ୍ୱାରା ଲିଜ୍ ଆବଣ୍ଟନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା ରହିବ ବୋଲି ଆଶା କରାଯାଉଥିଲା। ମାତ୍ର ପ୍ରକ୍ରିୟା ଆରମ୍ଭରୁ ହିଁ ଏହାକୁ ନେଇ ଅସନ୍ତୋଷ ଦେଖାଦେବା ପ୍ରଶାସନର ଆଭିମୁଖ୍ୟ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।ଆବେଦନକାରୀଙ୍କ ମଧ୍ୟରେ ମୁଖ୍ୟତଃ କେଉଁ ନିୟମ ଓ ମାନଦଣ୍ଡ ଆଧାରରେ ଲିଜ୍‌ଧାରୀ ଚୟନ କରାଯାଉଛି, ଲଟେରୀ ପ୍ରକ୍ରିୟା କେତେ ସ୍ୱଚ୍ଛ ଏବଂ ଚୟନରେ ସମସ୍ତ ଆବେଦନକାରୀଙ୍କୁ ସମାନ ସୁଯୋଗ ମିଳୁଛି କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଇ-ଲଟେରୀର ସମ୍ପୂର୍ଣ୍ଣ ପ୍ରକ୍ରିୟା ଓ ଚୟନ ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବାକୁ ମଧ୍ୟ ଦାବି ହେଉଛି।ଅନ୍ୟପକ୍ଷରେ, ଏହି ବିବାଦକୁ ନେଇ ଜିଲ୍ଲା ପ୍ରଶାସନ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛି, ତାହା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଆବେଦନକାରୀଙ୍କ ଅଭିଯୋଗର ତଦନ୍ତ କରାଯିବ ନା ଇ-ଲଟେରୀ ପ୍ରକ୍ରିୟା ନିର୍ଦ୍ଧାରିତ ନିୟମ ଅନୁଯାୟୀ ଜାରି ରହିବ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଲିଜ୍ ଆବଣ୍ଟନରେ ସ୍ୱଚ୍ଛତା ବଜାୟ ରଖିବା ସହ ଉଠିଥିବା ସନ୍ଦେହର ସ୍ପଷ୍ଟୀକରଣ ଦେବା ପ୍ରଶାସନ ପାଇଁ ଏବେ ବଡ଼ ଆହ୍ୱାନ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ