ଓଡ଼ିଶା ହାଇକୋର୍ଟର ନୂଆ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟ
କଟକ, (ଓ୍ବାଇଏନଏସ): ଓଡ଼ିଶା ହାଇକୋର୍ଟର ନୂଆ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟ। ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ କାର୍ଯ୍ୟକାଳ ଆସନ୍ତା ୧୫ ତାରିଖରେ ଶେଷ ହେବାକୁ ଯାଉଥିବାବେଳେ ତାଙ୍କ ଅବସର ପରେ ଜଷ୍ଟିସ୍ ରାଉତରାୟ ଏହି ନୂଆ ଦାୟିତ୍ୱ ତୁଲାଇବେ। ସୂଚନା ଅନୁଯାୟୀ, ଜଷ୍ଟିସ୍ ହରିଶ ଟଣ୍ଡନଙ୍କ କାର୍ଯ୍ୟକାଳର ଶେଷ ଦିନ ହାଇକୋର୍ଟ ଛୁଟି ରହୁଥିବାରୁ ଆଜି ଅପରାହ୍ନରେ ତାଙ୍କୁ ଆନୁଷ୍ଠାନିକ ଭାବେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯିବ। ଏହାପରେ ସୋମବାରଠାରୁ ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନ୍ୟାୟିକ ଦାୟିତ୍ୱ ସମ୍ଭାଳିବେ। ଏ ସଂକ୍ରାନ୍ତରେ ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତି ସମ୍ପର୍କିତ ଔପଚାରିକ ବିଜ୍ଞପ୍ତି ଜାରି କରାଯାଇଛି। ଜଷ୍ଟିସ୍ ଟଣ୍ଡନଙ୍କ ଅବସର ପରେ ଓଡ଼ିଶା ହାଇକୋର୍ଟର ନେତୃତ୍ୱ ଭାର ଜଷ୍ଟିସ୍ ରାଉତରାୟଙ୍କ ହାତକୁ ଯିବ।


