ପ୍ରଳୟଙ୍କରୀ ବନ୍ୟାକୁ ପୁରିଲା ଦୁଇ ସପ୍ତାହ: କଳିଙ୍ଗରୋଡ ରାସ୍ତା ମରାମତି କେବେ?

ଆସିକା  (ୱାଇଏନ୍‍ଏସ୍‍) : ଗତ ଅକ୍ଟୋବର ମାସ ୨୯ ତାରିଖରେ ଆସିକାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ଇତି ମଧ୍ୟରେ ଦୁଇ ସପ୍ତାହ ପୁରି ଯାଇଥିଲା ବେଳେ ବନ୍ୟାପାଣିରେ ନଷ୍ଟ ହୋଇଯାଇଥିବା କଳିଙ୍ଗରୋଡ ମୁଖ୍ୟରାସ୍ତାର କେତେକ ସ୍ଥାନକୁ ମରାମତି କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ୧୫୭ନଂ ଜାତୀୟ ରାଜପଥର ଆସିକା ପୁରୁଣା ବସଷ୍ଟାଣ୍ଡ ଛକଠାରୁ ବିଜୁପଟ୍ଟନାୟକ ଛକକୁ ସଂଯୋଗ କରୁଥିବା କଳିଙ୍ଗ ରୋଡ୍ ମୁଖ୍ୟ ରାସ୍ତାର କେତେକ ସ୍ଥାନରେ ବନ୍ୟାପାଣିରେ ନଷ୍ଟ ହୋଇ ଖାଲଖମା ସୃଷ୍ଟି ହୋଇ ମରଣଯନ୍ତାରେ ପରିଣତ ହୋଇଥିଲେ ମଧ୍ୟ ତାହାକୁ ମରାମତି କରିବା ଦିଗରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ନିଘୋଡ ନିଦ୍ରା ଭାଙ୍ଗୁନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ପୁରୁଣା ବସଷ୍ଟାଣ୍ଡ ଛକ-ବିଜୁପଟ୍ଟନାୟକ ଛକକୁ ସଂଯୋଗ କରୁଥିବା କଳିଙ୍ଗ ରୋଡ୍ ମୁଖ୍ୟ ରାସ୍ତାର କେତେକ ସ୍ଥାନରେ ପ୍ରଳୟଙ୍କରୀ ବନ୍ୟାର ପ୍ରଭାବରେ ରାସ୍ତା ନଷ୍ଟ ହୋଇ ଖାଲଖମା ସୃଷ୍ଟି ହୋଇଥିବା ଯୋଗୁଁ ସାଧାରଣ ଜନତାଙ୍କ ଯାତାୟତରେ ନାହିଁନଥିବା ସମସ୍ୟା ସୃଷ୍ଟି ହେଉଛି । ବ୍ୟସ୍ତବହୁଳ ଆସିକା ଘରୋଇ ବସଷ୍ଟାଣ୍ଡ ଛକ-ବିଜୁ ପଟ୍ଟନାୟକ ଛକକୁ ସଂଯୋଗ କରୁଥିବା କଳିଙ୍ଗ ରୋଡ୍ ମୁଖ୍ୟ ସଡକ ଉପରେ ଦୈନିକ ଶହଶହ ଜିପ୍‌, କାର୍‌, ବାଇକ୍‌, ମାଲବାହୀ ଟ୍ରକ୍‌, ଯାତ୍ରୀବାହୀ ମିନିବସ୍ ଓ ବସ୍ ଚଳପ୍ରଚଳ କରୁଥିବା ବେଳେ ହଜାର ହଜାର ଯାତ୍ରୀ ଯାତାୟତ କରୁଥିବା ଦେଖିବାକୁ ମିଳୁଛି । ଆସିକା ସହରକୁ ପ୍ରବେଶ ପାଇଁ ଉଦ୍ଦିଷ୍ଟ ଏହି ବ୍ୟସ୍ତବହୁଳ ରାସ୍ତାର ଦୂରାବସ୍ଥା ଦୂର କରିବା ଦିଗରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ପଦକ୍ଷେପ ନେଉନଥିବା ଯୋଗୁଁ ଏହା ଆସିକା ସହରର ବିକାଶର ପରିଚୟ ଓ ସୌନ୍ଦର୍ଯ୍ୟର ନଗ୍ନ ଦୃଷ୍ଟାନ୍ତ ବୋଲି ସଚେତନ ନାଗରିକଙ୍କ ମହଲରେ ମତ ପ୍ରକାଶ ପାଉଛି । ପ୍ରଳୟଙ୍କରୀ ବନ୍ୟାର ପ୍ରଭାବରେ ଆସିକା କଳିଙ୍ଗ ରୋଡ୍ ମୁଖ୍ୟ ରାସ୍ତାର କେତେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିବା ଯୋଗୁଁ ରାସ୍ତାରେ ଚଳାଚଳ କରୁଥିବା ଯାନବାହାନ ଗୁଡିକର ଯନ୍ତ୍ରାଂଶ ବିଭିନ୍ନ ସମୟରେ ଭାଙ୍ଗି ଗାଡି ମାଲିକ ମାନେ ହଜାର ହଜାର ଟଙ୍କା କ୍ଷତିର ସମ୍ମୁଖୀନ ହେଉଥିବା ସାଙ୍ଗକୁ ସାଧାରଣ ଜନତାଙ୍କ ଯାତାୟତରେ ମଧ୍ୟ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ତୁରନ୍ତ ଉକ୍ତ ରାସ୍ତାର ଖାଲଖମା ଗୁଡିକୁ ମରାମତି କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ