ସୟଦ ମୁସ୍ତାକ ଅଲି ଟ୍ରଫି: ଛତିଶଗଡ଼ଠାରୁ ୫୧ ରନ୍ରେ ହାରିଲା ଓଡ଼ିଶା
କଟକ, (ଓ୍ବାଇଏନଏସ): ସୟଦ ମୁସ୍ତାକ ଅଲି ଟ୍ରଫି ଏଲିଟ୍-ଡି ଟି-୨୦ ପ୍ରତିଯୋଗିତାରେ ଓଡ଼ିଶାକୁ ପରାସ୍ତ କରିଛି ଛତିଶଗଡ଼। କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍ରେ ଛତିଶଗଡ଼ ୫୧ ରନ୍ରେ ବିଜୟୀ ହୋଇଛି। ଟସ୍ ଜିତି ଓଡ଼ିଶା ପ୍ରଥମେ ଫିଲ୍ଡିଂ କରିଥିଲା। ଫଳରେ ପ୍ରଥମେ ବ୍ୟାଟିଂ କରି ଛତିଶଗଡ଼ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୨୮ ରନ୍ର ବିଶାଳ ସ୍କୋର କରିଥିଲା। ଦଳ ପକ୍ଷରୁ ବିକଳ୍ପ ତିୱାରୀ ଦମ୍ଦାର ବ୍ୟାଟିଂ କରି ୫୬ ବଲ୍ରୁ ୧୧୯ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ୧୮ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ଅଜୟ ମଣ୍ଡଳ ୨୮ ବଲ୍ରୁ ୫୦ ରନ୍ କରି ଦଳର ବଡ଼ ସ୍କୋରରେ ଯୋଗଦାନ ଦେଇଥିଲେ। ଓଡ଼ିଶା ପକ୍ଷରୁ ଦେବବ୍ରତ ପ୍ରଧାନ ୪ ଓଭରରେ ୩୩ ରନ୍ ଦେଇ ୨ଟି ୱିକେଟ୍ ନେଇଥିବାବେଳେ ସୌମ୍ୟ ଲେଙ୍କା ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ। ୨୨୯ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଓଡ଼ିଶା ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୭୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଓଡ଼ିଶା ପକ୍ଷରୁ କାର୍ତ୍ତିକ ବିଶ୍ୱାଳ ସର୍ବାଧିକ ୩୩ ବଲ୍ରୁ ୫୭ ରନ୍ କରିଥିବାବେଳେ ସୁବ୍ରାଂଶୁ ସେନାପତି ୨୭ ବଲ୍ରୁ ୩୧ ରନ୍ ସଂଗ୍ରହ କରିଥିଲେ।ଛତିଶଗଡ଼ ପକ୍ଷରୁ ଜୟନ୍ତ ଯାଦବ ୩ ଓଭରରେ ୨୯ ରନ୍ ଦେଇ ୩ଟି ୱିକେଟ୍ ନେଇଥିବାବେଳେ ସୌରଭ ମଜୁମଦାର ୩ ଓଭରରେ ୧୭ ରନ୍ ଦେଇ ୨ଟି ୱିକେଟ୍ ହାସଲ କରିଥିଲେ। ଫଳରେ ଛତିଶଗଡ଼ ୫୧ ରନ୍ରେ ଓଡ଼ିଶାକୁ ପରାସ୍ତ କରି ମ୍ୟାଚ୍ ଜିତିନେଇଥିଲା।


