ବାତ୍ୟା ‘ଅକଭାନ’ ପ୍ରଭାବ: ରାୟଗଡ଼ା ଜିଲ୍ଲାରେ ଦୁଇ ଦିନ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ
ଗୁଣପୁର, (ୱାଇଏନଏସ): ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବାତ୍ୟା ‘ଅକଭାନ’କୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲାରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ସମେତ କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ନଭେମ୍ବର ୧୯ ଓ ୨୦ ତାରିଖ ଦୁଇଦିନ ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଆଶୁତୋଷ କୁଳକର୍ଣ୍ଣି ନିର୍ଦ୍ଦେଶ ଜାରି କରିଛନ୍ତି। ନଭେମ୍ବର ୧୮ ତାରିଖରେ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଜାରି କାର୍ଯ୍ୟାଳୟ ଆଦେଶ ନମ୍ବର ୧୨୨୨/ଏମ୍ଗ୍-୨୦୨୬ ଅନୁଯାୟୀ, ଏହି ନିର୍ଦ୍ଦେଶ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅନ୍ୟାନ୍ୟ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ସମେତ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଲାଗୁ ହେବ। ଅନ୍ୟପକ୍ଷରେ, ବାତ୍ୟା ମୁକାବିଲା ଓ ବିପଦ ସମୟରେ ଜନସାଧାରଣଙ୍କୁ ଆଶ୍ରୟ ଯୋଗାଇବା ପାଇଁ ଆଶ୍ରୟସ୍ଥଳ ଭାବେ ଚିହ୍ନଟ ହୋଇଥିବା ସମସ୍ତ ସ୍କୁଲ ଓ କଲେଜ ଖୋଲା ରହିବ। ନଭେମ୍ବର ୧୮ ତାରିଖଠାରୁ ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ଆଶ୍ରୟସ୍ଥଳ ଭାବେ କାର୍ଯ୍ୟ କରିବା ସହ ବାତ୍ୟା ବିପଦ ଟଳି ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଉପଲବ୍ଧ ରହିବ। ସମ୍ପୃକ୍ତ ଆଶ୍ରୟସ୍ଥଳର ଦାୟିତ୍ୱରେ ଥିବା ଅଧିକାରୀ ଓ ନିଯୁକ୍ତ କର୍ମଚାରୀଙ୍କୁ ସଜାଗ ରହିବା ସହ ଆଶ୍ରୟ ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ହୋଇଛି।


