ଗଞ୍ଜେଇ ଚୋରା ଚାଲାଣ ବେଳେ ବୋଲେରୋ ପିକଅପ୍ ଓ ମୋଟରସାଇକେଲ ଜବତ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ସେରଙ୍ଗୋ ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରାଚାଲାଣ ହେଉଥିବା ୫୦୭ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଗୋଟିଏ ମହିନ୍ଦ୍ରା ବୋଲେରୋ ମ୍ୟାକ୍ସ ପିକଅପ୍ ଏବଂ ଗୋଟିଏ ହିରୋ ଗ୍ଲାମର ମୋଟରସାଇକେଲକୁ ଜବତ କରିଛି ପୋଲିସ। ସୂଚନା ଅନୁଯାୟୀ, ଗତ ୧୭ ନଭେମ୍ବର ୨୦୨୬ ତାରିଖ ଭୋର ପ୍ରାୟ ୫ଟା ସମୟରେ ସେରଙ୍ଗୋ ଥାନା ପୋଲିସ ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ବେଳେ ପୁଟାସିଂ ଅଞ୍ଚଳରୁ ସେରଙ୍ଗୋ ଆଡ଼କୁ ଏକ ବୋଲେରୋ ପିକଅପ୍ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। ଗାଡ଼ିଟିକୁ ଏକ ମୋଟରସାଇକେଲ ଏସକର୍ଟ କରୁଥିବା ମଧ୍ୟ ସୂଚନା ମିଳିଥିଲା। ଏହାପରେ ପୋଲିସ ରାଗିଡ଼ିପୁଟା ନିକଟରେ ଜଗି ରହିଥିଲା। ସକାଳ ପ୍ରାୟ ୬ଟା ୧୫ ମିନିଟ୍ ସମୟରେ ସନ୍ଦେହଜନକ ଭାବେ ଆସୁଥିବା ଏକ ଧଳା ରଙ୍ଗର ବୋଲେରୋ ପିକଅପ୍ ଏବଂ ତାକୁ ଏସକର୍ଟ କରୁଥିବା ହିରୋ ଗ୍ଲାମର ବାଇକକୁ ପୋଲିସ ଅଟକାଇବାକୁ ସଙ୍କେତ ଦେଇଥିଲା। କିନ୍ତୁ ପୋଲିସକୁ ଦେଖି ଉଭୟ ଗାଡ଼ିର ଚାଳକ ଗାଡ଼ି ଛାଡ଼ି ନିକଟସ୍ଥ ଜଙ୍ଗଲ ଆଡ଼କୁ ଫେରାର ହୋଇଯାଇଥିଲେ। ପରେ ଗାଡ଼ି ଯାଞ୍ଚ ସମୟରେ ବୋଲେରୋ ପିକଅପ୍‌ର ଡାଲାରୁ ୨୨ଟି ପ୍ଲାଷ୍ଟିକ୍ ଜାରିକିନ୍‌ରେ ରଖାଯାଇଥିବା ସନ୍ଦିଗ୍ଧ ଗଞ୍ଜେଇ ଜବତ ହୋଇଥିଲା। ଗୁମ୍ମାର ଅତିରିକ୍ତ ତହସିଲଦାର ତଥା ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ସୁନୀଲ କୁମାର ସ୍ୱାଇଁଙ୍କ ଉପସ୍ଥିତିରେ ଯାଞ୍ଚ ଓ ଜବତ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଓଜନ ସମୟରେ ଜାରିକିନ୍ ସହ ୫୧୦ କେଜି ୧୦୦ ଗ୍ରାମ ଏବଂ ଜାରିକିନ୍ ବାଦ୍ ୫୦୭ କେଜି ୯୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏହା ସହ OD 22 E 4457 ନମ୍ବର ବିଶିଷ୍ଟ ବୋଲେରୋ ପିକଅପ୍ ଏବଂ OD 20 A 2798 ନମ୍ବର ବିଶିଷ୍ଟ ହିରୋ ଗ୍ଲାମର ମୋଟର ସାଇକେଲକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ସେରଙ୍ଗୋ ଥାନା କେସ୍ ନମ୍ବର ୧୬୬, ତାରିଖ ୧୭.୧୧.୨୦୨୬, NDPS ଆଇନର ଧାରା ୨୦(ବି)(ii)(ସି)/୨୫/୨୯ ଅନୁଯାୟୀ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି। ତଦନ୍ତ ସମୟରେ ଏହି ଚୋରାଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ