ଦର୍ଶକଙ୍କୁ ମତୁଆଲା କରିବ ଇରାଙ୍କ ସଂଗୀତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପ୍ରାଚୀନ ଉତ୍କଳର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସାଧବ ପୁଅଙ୍କ ସାହସିକ ସାମୁଦ୍ରିକ ଯାତ୍ରାର ସ୍ମୃତିଚାରଣ ଉଦ୍ଦେଶ୍ୟରେ ଆୟୋଜିତ ହେବାକୁ ଯାଉଛି ‘କେନ୍ଦ୍ରାପଡ଼ା ବାଲିଯାତ୍ରା ମହୋତ୍ସବ-୨୦୨୬’। ଏହାର ପ୍ରସ୍ତୁତି ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇବା ପାଇଁ ବାଲିଯାତ୍ରା ପଡ଼ିଆଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମହୋତ୍ସବର ମୁଖ୍ୟ ଆକର୍ଷଣ ସାଜିବେ ଓଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ ଇରା ମହାନ୍ତି, ଯାହାଙ୍କ ସୁମଧୁର ସଂଗୀତ ଦର୍ଶକଙ୍କୁ ମତୁଆଲା କରିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ବୋଇତ ବନ୍ଦାଣ, ଲୋକନୃତ୍ୟ, ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ ସଭା, ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ପର୍ବ ଆୟୋଜିତ ହେବ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ମୀନାବଜାର ଓ ରାମଦୋଳି ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହସ୍ତତନ୍ତ, ସୌଖିନ ଓ ଘରକରଣା ସାମଗ୍ରୀ ଏବଂ ସୁସ୍ୱାଦୁ ଖାଦ୍ୟର ଷ୍ଟଲ୍ମାନ ଖୋଲାଯିବ। କମିଟି ପକ୍ଷରୁ କୁହାଯାଇଛି ଯେ, ବାଲିଯାତ୍ରା କେବଳ ଏକ ମେଳା ନୁହେଁ, ବରଂ ଏହା ଓଡ଼ିଆ ଜାତିର ସାଂସ୍କୃତିକ ପରିଚୟ ଓ ବାଣିଜ୍ୟିକ ସମୃଦ୍ଧିର ପ୍ରତୀକ। ଏହି ମହୋତ୍ସବ ମାଧ୍ୟମରେ କେନ୍ଦ୍ରାପଡ଼ା ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା ଓ ସାମାଜିକ ଏକତାକୁ ଲୋକଲୋଚନକୁ ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ କମିଟିର ସଭାପତି ପ୍ରଦୀପ କୁମାର ଦାଶ, ସମ୍ପାଦକ ସଞ୍ଜୟ କୁମାର ଜେନା, ଉପ-ସଭାପତି ଧୀରେନ୍ଦ୍ର ଦାଶ ଓ ଅଭିମନ୍ୟୁ ଗୋଛାୟତ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ ଏବଂ ମିଡ଼ିଆ ସେଲ୍ ପ୍ରମୁଖ ଅଲେଖ କୁମାର ନାୟକ ଯୋଗଦେଇ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପତ୍ରିକା ମୁଖ୍ୟ ସମ୍ପାଦକ କରୁଣାକର ଦାସ, ଶୁଭାଂଶୁ ଦାସ, ଶ୍ରୀଧର ମହାନ୍ତି, ରମଣୀରଞ୍ଜନ ରାଉତରାୟ, ମୃତ୍ୟୁଞ୍ଜୟ ସାହୁ, ସୟଦ ସମସେର ଅଲ୍ଲୀ, ରଜନୀକାନ୍ତ ଦାସ, ସତ୍ୟବ୍ରତ ସିଂ ଓ ସେକ ସମସେର ପ୍ରମୁଖ ଉପସ୍ଥିତ ଥିଲେ।


