ପଞ୍ଚ ଶୈବ ପୀଠ ବୁଦ୍ଧଖୋଲରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ
ବୁଗୁଡ଼ା, (ଓ୍ବାଇଏନଏସ) : ବୁଗୁଡ଼ା ନିକଟସ୍ଥ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତଥା ପଞ୍ଚ ଶୈବ ପୀଠ ବୁଦ୍ଧଖୋଲରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଜନ ସମୁଦ୍ର ପାଲଟି ଯାଇଥିଲା। କାର୍ତ୍ତିକ ପୂର୍ଣ୍ଣିମା ଧର୍ମ ମାସର ଶେଷ ଦିବସ ହୋଇଥିବା ଯୋଗୁଁ ସକାଳୁ ବୁଦ୍ଧଖୋଲ ଅଭିମୁଖେ ଭକ୍ତଙ୍କ ସୁଅ ଛୁଟିଥିଲା। ବୁଗୁଡ଼ା ଅଞ୍ଚଳ ସମେତ ଗଞ୍ଜାମ ଜିଲ୍ଲା ଓ ବାହାର ଜିଲ୍ଲାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ପହଞ୍ଚି ପଞ୍ଚ ଶମ୍ଭୁଙ୍କ ଦର୍ଶନ କରିଥିଲେ। ବୁଦ୍ଧଖୋଲ ପାହାଡ଼ରେ ବିଜେ ଜଗଦ୍ଦେଶ୍ୱର ସ୍ୱାମୀ, ଗଙ୍ଗାଧର ସ୍ୱାମୀ, ମକରେଶ୍ୱର ସ୍ୱାମୀ, ବୁଦ୍ଧେଶ୍ୱର ସ୍ୱାମୀ ଓ ସିଦ୍ଧେଶ୍ୱର ସ୍ୱାମୀଙ୍କ ଦର୍ଶନ ପାଇଁ ଦିନତମାମ ଲାଗି ରହିଥିଲା ଭକ୍ତଙ୍କ ଭିଡ଼। ଅନ୍ୟପଟେ ପାହାଡ଼ ଘେରା ସବୁଜିମା ପରିବେଶ, ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଏବଂ ପାହାଡ଼ରୁ ବହି ଆସୁଥିବା ଝରଣା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ବିଶେଷ ଆକର୍ଷିତ କରିଥିଲା। ଅନେକ ଶ୍ରଦ୍ଧାଳୁ ଉଚ୍ଚ ପାହାଡ଼ିଆ ରାସ୍ତା ଦେଇ ସିଦ୍ଧଗୁମ୍ଫା ଅଭିମୁଖେ ଯାତ୍ରା କରିଥିବା ବେଳେ ପାହାଡ଼ ଉପରୁ ତଳକୁ ବହି ଆସୁଥିବା ଶୀତଳ ଝରଣା ଜଳ ପ୍ରପାତରେ ସ୍ନାନ କରିବାର ଆନନ୍ଦ ଉପଭୋଗ କରିଥିଲେ। ପାହାଡ଼ର ପାଦଦେଶରେ ଅବସ୍ଥିତ ଶିବ ପାର୍ବତୀ ଓ ପ୍ରଭୁ ହନୁମାନଙ୍କ ବିଶାଳ ପ୍ରତିମୂର୍ତ୍ତି ନିକଟରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଶ୍ରଦ୍ଧାଳୁ ବୃନ୍ଦ ସୁବିଧାରେ ଠାକୁର ଦର୍ଶନ ଓ ଯାନବାହନ ପାର୍କିଂ ପାଇଁ ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ସୁବ୍ୟବସ୍ଥା କରାଯାଇଥିଲା। ସ୍ୱେଚ୍ଛାସେବୀ ବୃନ୍ଦ ଏବଂ ପୋଲିସ ପ୍ରଶାସନ ମିଳିତ ଭାବେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ବୁଦ୍ଧଖୋଲ କୁ ବର୍ଷ ତମାମ ପର୍ଯ୍ୟଟକ ଓ ବଣଭୋଜି ପାଇଁ ଜନସାଧାରଣ ଆସୁଥିବା ବେଳେ କାର୍ତ୍ତିକ ମାସର ସମସ୍ତ ସୋମବାର ଓ କାର୍ତ୍ତିକ ପୂର୍ଣ୍ଣିମା ଦିନ ବହୁ ଜନସମାଗମ ହୋଇଥାଏ।


