ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ଵର (ସରୋଜ ପଣ୍ଡା):ମହିଳାମାନଙ୍କ ବିରୁଦ୍ଧରେ ଲିଙ୍ଗଭିତ୍ତିକ ହିଂସା ଓ ବାଲ୍ୟ ବିବାହ ନିବାରଣ ନେଇ ଆୟୋଜିତ ୧୬ ଦିନିଆ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଆଜି ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ବସ୍ତି ଏରିଆ ଡେଭଲପମେଣ୍ଟ କାଉନସିଲ (ବି.ଏ.ଡି.ସି.) ର ମିଳିତ ସହଯୋଗରେ ଆରମ୍ଭ କରାଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ ସବୁଜ ପତାକା ପ୍ରଦର୍ଶନ କରି ଏହି ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ଜ୍ୟୋସ୍ନା ମହାନ୍ତି ୧୬ ଦିନିଆ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉଦବୋଧନ ଦେଇ କହିଥିଲେ ଯେ, ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ଏବଂ ମହିଳାମାନଙ୍କ ବିରୁଦ୍ଧରେ ସମାଜରେ ଘଟୁଥିବା ହିଂସା ନିବାରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା। ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ସହରର ପ୍ରମୁଖ ରାସ୍ତା ଦେଇ ପରିକ୍ରମା କରି ଫକୀର ମୋହନ ଗୋଲେଇ ହୋଇ ପୁନଃ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲା । ଏହି ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ବ୍ଲକରେ ୧୬ ଦିନ ବ୍ୟାପୀ ଚାଲୁ ରହିବ। ଶୋଭାଯାତ୍ରାକୁ ସଫଳ କରିବା ପାଇଁ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଗଣ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ମହିଳା ସଶକ୍ତିକରଣ କାର୍ଯ୍ୟଳୟର କର୍ମକର୍ତ୍ତାଗଣ, ସୁପରଭାଇଜର, ଅଙ୍ଗନୱାଡ଼ି କର୍ମୀ, ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ମହାବିଦ୍ୟାଳୟର ଛାତ୍ରୀ, ଏକକ ସମାଧାନ କେନ୍ଦ୍ରର କର୍ମଚାରୀ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରା ସମୟରେ “ଲିଙ୍ଗଗତ ହିଂସା ବିରୁଦ୍ଧରେ ଏକ ହେବା”, “ନାରୀ ସୁରକ୍ଷା ଆମ ଦାୟିତ୍ଵ” ଭଳି ବିଭିନ୍ନ ସ୍ଲୋଗାନରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ତପନ କୁମାର ଖୁଣ୍ଟିଆ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସମେତ ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହି ଶପଥଗ୍ରହଣ ସମାରୋହକୁ ସହଯୋଗ କରିଥିଲେ।


