ଜିଲ୍ଲାସ୍ତରୀୟ ସଚେତନତା ତାଲିମ ଶିବିର
ବାଲେଶ୍ଵର: ଜିଲ୍ଲାରେ ମହିଳାମାନଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ସଶକ୍ତିକରଣ ସୁନିଶ୍ଚିତ କରିବା ସହିତ ମହିଳାଙ୍କ ବିରୋଧରେ ହେଉଥିବା ଲିଙ୍ଗଭିତ୍ତିକ ହିଂସାର ନିବାରଣ ଓ ନିରାକରଣ ଉଦ୍ଦେଶ୍ୟରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ବାଲେଶ୍ଵରଠାରେ ଓଡ଼ିଶା ରାଜ୍ୟ ମହିଳା କମିଶନ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ ସଚେତନତା ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଜ୍ୟୋସ୍ନା ମହାନ୍ତିଙ୍କ ପୌରାହିତ୍ୟରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିବା ସହିତ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ପରିଷଦ ଡ଼ଃ ମଧୁସ୍ମିତା ସାମନ୍ତରାୟ, ପ୍ରଶାସନିକ ଅଧିକାରୀ, ମୁଖ୍ୟ ଚିକିତ୍ସାଳୟ ଶ୍ରୀମତୀ ଅନିତା ନାୟକ, ଉପ-ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ନିର୍ମଳା ଗଚ୍ଛାୟତ, ଅତିରିକ୍ତ ଚିକିତ୍ସାଧିକାରୀ ଶ୍ରୀଯୁକ୍ତ ସୂର୍ଯ୍ୟ କୁମାର ରାଉତରାୟ, ଜିଲ୍ଲା ନ୍ୟାୟିକ ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵନାଥ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଖୁସିରାମ ଗହିର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବୁଢ଼ାନ ହେମ୍ବ୍ରମ, ଜିଲ୍ଲା ନ୍ୟାୟିକ ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱନାଥ ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କ ପ୍ରତି ହିଂସା ଓ ଭେଦଭାବ ଦୂର କରିବା, ମହିଳାଙ୍କ ଅଧିକାର ସମ୍ପର୍କରେ ଜନଜାଗରଣ ବୃଦ୍ଧି କରିବା ଏବଂ ମହିଳାଙ୍କୁ ନ୍ୟାୟ ଓ ସୁରକ୍ଷା ପ୍ରଦାନ ଦିଗରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଓ ସହଯୋଗକୁ ସୁଦୃଢ଼ କରିବା ସହିତ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ, ସମ୍ମାନଜନକ ଓ ହିଂସାମୁକ୍ତ ସମାଜ ଗଠନ ନିମନ୍ତେ ସମସ୍ତଙ୍କ ସକ୍ରିୟ ସହଯୋଗ ଓ ସାମୁହିକ ଦାୟିତ୍ଵବୋଧ ଅତ୍ୟନ୍ତ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଚିକିତ୍ସାଧିକାରୀ ଡଃ ସୂର୍ଯ୍ୟ କୁମାର ରାଉତରାୟ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟର ଉପ-ଅଧୀକ୍ଷକ ନିର୍ମଳା ଗଚ୍ଛାୟତ ସମ୍ବଳ ବିଶେଷଜ୍ଞ ଭାବେ ଯୋଗ ଦେଇ ମହିଳାଙ୍କ ବିରୋଧରେ ଲିଙ୍ଗଭିତ୍ତିକ ହିଂସାର ବିଭିନ୍ନ ଦିଗ, ଏହାର ପ୍ରତିରୋଧ, ପୀଡ଼ିତାଙ୍କ ଆଇନଗତ ଅଧିକାର, ଉପଲବ୍ଧ ଆଇନଗତ ସହାୟତା ଏବଂ ପୋଲିସ ପ୍ରଶାସନର ଭୂମିକା ସମ୍ପର୍କରେ ଉପସ୍ଥିତ ଅଂଶଗ୍ରହଣକାରୀ ମାନଙ୍କୁ ବିସ୍ତୃତ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଉକ୍ତ ତାଲିମ ଶିବିରକୁ ଅଧିକ ସାରସ୍ୱତ କରିବା ପାଇଁ ଜିଲ୍ଲା ସୁରକ୍ଷା ଅଧିକାରିଣୀ, ପ୍ରୋଗ୍ରାମ ଅଧିକାରିଣୀ, ଜିଲ୍ଲାର ସମସ୍ତ ଶିଶୁ ପ୍ରକଳ୍ପ ଅଧିକାରିଣୀ, ଶିକ୍ଷକ/ଶିକ୍ଷିକା, ସୁପରଭାଇଜର, ୱାର୍ଡ଼ କାଉନସିଲର, ସରପଞ୍ଚ, ସମିତି ସଭ୍ୟ, କିଶୋରୀ ବାଳିକା, ସମାଜ ମଙ୍ଗଳ କାର୍ଯ୍ୟାଳୟର କର୍ମକର୍ତ୍ତାଗଣ, ମହିଳା ସଶକ୍ତିକରଣ କାର୍ଯ୍ୟଳୟର କର୍ମକର୍ତ୍ତାଗଣ, ଏକକ ସମାଧାନ କେନ୍ଦ୍ରର କର୍ମକର୍ତ୍ତା, ଶକ୍ତି ଶଦନର କର୍ମକର୍ତ୍ତା, ସ୍ଵେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ବନ୍ଧୁଂ ପାଖାପାଖି ଦେଢ଼ଶହରୁ ଉର୍ଦ୍ଧ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ପ୍ରକଳ୍ପ ସଂଯୋଜକ (ମମତା) ଶ୍ରୀଯୁକ୍ତ ବାମଦେବ ପାଣିଗ୍ରାହୀ ମଞ୍ଚ ସଞ୍ଚାଳନ କରିଥିଲେ। ଶେଷରେ ମହିଳା ସଶକ୍ତିକରଣ କାର୍ଯ୍ୟାଳୟର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ପାଲ ଧନ୍ୟବାଦ ଅର୍ପଣ କରିଥିଲେ।


