ବାଲିଯାତ୍ରାରେ ସାଇବର ସଚେତନତା ସହ ରକ୍ତଦାନର ବାର୍ତ୍ତା ଦେଲା କମିଶନରେଟ୍ ପୋଲିସ

କଟକ, (ଓ୍ବାଇଏନଏସ): ଐତିହାସିକ ବାଲିଯାତ୍ରାରେ ଜନସାଧାରଣଙ୍କୁ ସାଇବର ଠକେଇ ସମ୍ପର୍କରେ ସଚେତନ କରିବା ସହ ସାମାଜିକ ସେବାର ବାର୍ତ୍ତା ପ୍ରସାର କରୁଛି କମିଶନରେଟ୍ ପୋଲିସ। ବାଲିଯାତ୍ରା ପଡ଼ିଆର ‘କଟକ ଇନ୍ କଟକ’ ପରିସରରେ ଆୟୋଜିତ ସାଇବର ସଚେତନତା ମଞ୍ଚରେ ପୋଲିସ ଅଧିକାରୀମାନେ ଲୋକଙ୍କୁ ଅନଲାଇନ୍ ଠକେଇରୁ ସୁରକ୍ଷିତ ରହିବାର ଉପାୟ ବୁଝାଉଛନ୍ତି। ଏହା ସହ ସଙ୍ଗୀତ ମାଧ୍ୟମରେ ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରୁଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ଆଇଜି ଡ. ସତ୍ୟଜିତ ନାୟକ ଯୋଗଦେଇ ସାଇବର ସୁରକ୍ଷା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଇବା ସହ ସଙ୍ଗୀତ ପରିବେଷଣ କରିଥିଲେ। ଏଥିସହ ଏସିପି ସତ୍ୟଜିତ ଦାସ ଓ ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀ ମଧ୍ୟ ସାଇବର ଠକେଇରୁ ବର୍ତ୍ତିବାର ଉପାୟ ବୁଝାଇବା ସହ ଗୀତ ଗାଇ ଦର୍ଶକଙ୍କ ମନ ଜିଣିଥିଲେ। ଏହି ଅବସରରେ ଡିସିପି ରଞ୍ଜିତ କୁମାର ପୃଷ୍ଟି, ଡିଏସ୍‌ପି ସୁବ୍ରତ ବେହେରା, ଅତିରିକ୍ତ ଡିସିପି ସୁଦର୍ଶନ ଦାଶଙ୍କ ସମେତ ଗୀତିକାର ଅରୁଣ ମନ୍ତ୍ରୀ, ନିର୍ଦ୍ଦେଶକ ସାଇ ସିଦ୍ଧାନ୍ତ ମିଶ୍ର ଓ କଣ୍ଠଶିଳ୍ପୀମାନେ ଉପସ୍ଥିତ ଥିଲେ। ଏହି ଅଭିଯାନରେ ଏସିପି ଅମିତାଭ ମହାପାତ୍ରଙ୍କ ଉଦ୍ୟମ ସହ କମିଶନରେଟ୍ ପୋଲିସର ଅଧିକାରୀ ଓ କର୍ମଚାରୀ, ସାମାଜିକ କର୍ମୀ ଏବଂ କଳାକାରମାନେ ସହଯୋଗ କରୁଛନ୍ତି। ଅନ୍ୟପକ୍ଷରେ ମଞ୍ଚ ନିକଟରେ ଆୟୋଜିତ ରକ୍ତଦାନ ଶିବିରରେ ବାଲିଯାତ୍ରାକୁ ଆସୁଥିବା ଦର୍ଶକ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରୁଛନ୍ତି। ରକ୍ତଦାତାଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଉଛି। ସାଇବର ସୁରକ୍ଷା ସହ ରକ୍ତଦାନ ଭଳି ସାମାଜିକ କାର୍ଯ୍ୟକୁ ଏକାଠି କରି କମିଶନରେଟ୍ ପୋଲିସର ଏହି ପ୍ରୟାସ ବେଶ୍ ପ୍ରଶଂସା ସାଉଁଟୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ