ବାଲିଯାତ୍ରାରେ ପାରମ୍ପରିକ ପିଠାର ମହକ, ମୋମୋ ଛାଡ଼ି ମଣ୍ଡା ଓ ଆରିସା ପ୍ରତି ଯୁବପିଢ଼ିଙ୍କ ଆଗ୍ରହ

କଟକ, (ଓ୍ବାଇଏନଏସ): ଐତିହାସିକ ବାଲିଯାତ୍ରାର ଆକର୍ଷଣ କେବଳ ଦୋଳି, ମୀନାବଜାର କିମ୍ବା ବିଭିନ୍ନ ଆଧୁନିକ ଖାଦ୍ୟରେ ସୀମିତ ନାହିଁ। ଏଠାରେ ଏବେ ଓଡ଼ିଆ ପାରମ୍ପରିକ ଖାଦ୍ୟ ଓ ପିଠାପଣା ପ୍ରତି ମଧ୍ୟ ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ମଣ୍ଡା ପିଠା, ଆରିସା ପିଠା, କାକରା, ଏଣ୍ଡୁରି, ପୋଡ଼ପିଠା ଓ ମୁଆ ଭଳି ପାରମ୍ପରିକ ଖାଦ୍ୟର ଚାହିଦା ଦେଖିବାକୁ ମିଳୁଛି। ଆଧୁନିକ ଖାଦ୍ୟ ମୋମୋ ଓ ଫାଷ୍ଟଫୁଡ୍‌ ପ୍ରତି ଆକର୍ଷଣ ମଧ୍ୟରେ ଓଡ଼ିଆ ଘରୋଇ ପିଠାର ସ୍ୱାଦ ପୁଣିଥରେ ନୂଆ ପିଢ଼ିଙ୍କୁ ଆକୃଷ୍ଟ କରୁଛି। ବାଲିଯାତ୍ରା ତଳ ପଡ଼ିଆରେ ORMAS ପକ୍ଷରୁ ଖୋଲାଯାଇଥିବା ୫୦୦ରୁ ଊର୍ଦ୍ଧ୍ୱ ଷ୍ଟଲ୍‌ ମଧ୍ୟରେ ପାରମ୍ପରିକ ପିଠାର ଷ୍ଟଲ୍‌ଗୁଡ଼ିକ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏଥିମଧ୍ୟରୁ ଏକ ସ୍ୱତନ୍ତ୍ର ଷ୍ଟଲ୍‌ରେ ପାରମ୍ପରିକ ପିଠାକୁ ନୂଆ ନୂଆ ସ୍ୱାଦରେ ପ୍ରସ୍ତୁତ କରି ପରଷା ଯାଉଛି। ମଣ୍ଡା, କାକରା, ଆରିସା ଓ ଏଣ୍ଡୁରି ପିଠାରେ ଗୋଲାପ, ଆନାରସ, କେଶର-ବାଦାମ, ପାନ, କମଳା, ଆମ୍ବ ଓ ଷ୍ଟ୍ରବେରି ଭଳି ବିଭିନ୍ନ ସ୍ୱାଦର ପରୀକ୍ଷାମୂଳକ ସମ୍ମିଶ୍ରଣ କରାଯାଇଛି। ଏହା ସହ ଚିନିମୁକ୍ତ ବ୍ଲୁବେରି ପୋଡ଼ପିଠା ମଧ୍ୟ ଉପଲବ୍ଧ ହେଉଛି। ପ୍ରାକୃତିକ ଉପାଦାନ ଓ ଫଳରସ ବ୍ୟବହାର କରି ଏହି ପିଠା ପ୍ରସ୍ତୁତ କରାଯାଉଥିବା ଷ୍ଟଲ୍‌ ମାଲିକାଣୀ କହିଛନ୍ତି। ପ୍ରତି ପିଠାର ମୂଲ୍ୟ ୨୦ରୁ ୨୫ ଟଙ୍କା ମଧ୍ୟରେ ରହିଥିବାରୁ ଗ୍ରାହକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳୁଛି। ବିଶେଷକରି ଆନାରସ, କମଳା ଓ ପାନ ସ୍ୱାଦର କାକରା ପିଠା ଲୋକଙ୍କୁ ନୂଆ ଅନୁଭୂତି ଦେଉଛି।ସେହିପରି କଟକ ଯୋବ୍ରା ରୋଡ୍‌ରେ ମା’ ମହାଲକ୍ଷ୍ମୀ ମିଶନ ଶକ୍ତି ମହିଳା ଗୋଷ୍ଠୀ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାରର ଘରୋଇ ପିଠା ଓ ପଣା ପ୍ରସ୍ତୁତ କରାଯାଇ ବାଲିଯାତ୍ରାରେ ପରଷା ଯାଉଛି। ସଂଘର ମୁଖ୍ୟଙ୍କ ସୂଚନା ଅନୁଯାୟୀ, ଏହି କାର୍ଯ୍ୟରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ମହିଳା ସାମିଲ ହୋଇଛନ୍ତି। ମହିଳାମାନେ ନିଜ ହାତରେ ପାରମ୍ପରିକ ପଦ୍ଧତିରେ ବିଭିନ୍ନ ପିଠା ପ୍ରସ୍ତୁତ କରି ଏହାକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଉଛନ୍ତି। ଏହାଦ୍ୱାରା ଓଡ଼ିଶାର ପାରମ୍ପରିକ ଖାଦ୍ୟର ପ୍ରଚାର ସହ ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନର ଏକ ସୁଯୋଗ ମଧ୍ୟ ସୃଷ୍ଟି ହେଉଛି। ଓଡ଼ିଆ ଖାଦ୍ୟ ପରମ୍ପରାକୁ ଆଧୁନିକ ଢଙ୍ଗରେ ଉପସ୍ଥାପନ କରିବା ସହ ନିଜ ସଂସ୍କୃତି ଓ ପାରମ୍ପରିକ ଖାଦ୍ୟ ପ୍ରତି ନୂଆ ପିଢ଼ିଙ୍କ ଆଗ୍ରହ ବଢ଼ାଇବାରେ ବାଲିଯାତ୍ରାର ଏହି ପ୍ରୟାସ ଏକ ନୂଆ ପରିଚୟ ସୃଷ୍ଟି କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ