ଫେବ୍ରୁଆରୀ ୮ରେ ଦିଲ୍ଲୀ ଭୋଟ

ନୂଆଦିଲ୍ଲୀ: ବାଜିଲା ଦିଲ୍ଲୀ ନିର୍ବାଚନୀ ବିଗୁଲ । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସୋମବାର ତାରିଖ ଘୋଷଣା କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଆରୋରା ଦିଲ୍ଲୀ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ତଦନୁଯାୟୀ ଫେବ୍ରୁଆରୀ ୮ ତାରିଖରେ ଭୋଟ ଗ୍ରହଣ କରାଯିବ । ଫେବ୍ରୁଆରୀ ୧୧ରେ ଭୋଟ ଗଣତି କରାଯିବ । ଅନ୍ୟପକ୍ଷରେ ଜାନୁଆରୀ ୧୪ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ଜାନୁଆରୀ ୨୧ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରାଯିବ । ସେହିପରି ଜାନୁଆରୀ ୨୨ରେ ନାମାଙ୍କନ ଯାଞ୍ଚ ଓ ୨୪ ସୁଦ୍ଧା ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଦିଲ୍ଲୀର ସମସ୍ତ ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ମୋଟ ୧ କୋଟି ୪୬ ଲକ୍ଷ ୯୨, ୧୩୭ ଜଣ ଭୋଟର ଭୋଟ ଦେବେ । ଭୋଟ ଦେବା ପାଇଁ ମୋଟ ୧୩,୭୫୦ଟି ଭୋଟ ଗ୍ରହଣ କେନ୍ଦ୍ର ରହିବ । ସେହିପରି ସୋମବାରଠାରୁ ଆଚରଣ ବିଧି ଲାଗୁ ହୋଇଥିବା ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଆରୋରା କହିଛନ୍ତି। ପ୍ରକାଶ ଯେ, ଫେବ୍ରୁଆରୀ ୨୨ରେ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ଦିଲ୍ଲୀ ବିଧାନସଭାରେ ମୋଟ ୭୦ଟି ଆସନ ରହିଛି । ଗତ ନିର୍ବାଚନରେ ୬୭ଟି ଆସନରେ ଆମ ଆଦମୀ ପାର୍ଟି(ଆପ) ବିଜୟୀ ହୋଇଥିଲା । ବିଜେପି ମାତ୍ର ୩ଟି ଆସନ ଜିତିଥିଲା । ତେବେ ନିଜର ଗଡ଼ ବଞ୍ଚାଇବାରେ କଂଗ୍ରେସ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ଦିଲ୍ଲୀ ବିଧାନସଭାର ବର୍ତ୍ତମାନ ସଦସ୍ୟ ସଂଖ୍ୟା ୬୫ ରହିଛି । କଂଗ୍ରେସରେ ମିଶିବା ପରେ ଅଳକା ଲାମ୍ବାଙ୍କ ଚାନ୍ଦନୀଚୌକ ଆସନ ଖାଲିପଡ଼ିଛି । ସେହିପରି କପିଲ ମିଶ୍ରା, ସନ୍ଦୀପ କୁମାର, ଅନିଲ ବାଜେପେୟୀ ଓ ଦେବେନ୍ଦ୍ର ଶେରାୱତ ବରଖାସ୍ତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ