ନିର୍ବାଚନରେ ବଢୁଛି ସୋସିଆଲ ମିଡ଼ିଆର ପ୍ରଭାବ

ହିଂଜିଳିକାଟୁ, (ଶେଷଦେବ ସାହୁ): ଭାରତ ଭଳି ବୃହତମ ଗଣତାନ୍ତ୍ରିକ ରାଷ୍ଟ୍ରର ସାଧାରଣ ନିର୍ବାଚନ ଉପରେ ସାରା ବିଶ୍ୱର ନଜର ଏବେ କେନ୍ଦ୍ରୀଭୁତ ହୋଇଛଇ । ଦେଶସାରା ଏବେ ର୍ନିବାଚନର ଉଷ୍ମତା । ଚା ଖଟିରୁ ଦୈନିକ ବଜାର, ସରକାରୀ କାର୍ଯ୍ୟାଳୟ, ସମ୍ବାଦପତ୍ର, ଟେଲିଭିଜନ, ସୋସିଆଲ ମିଡ଼ିଆ ସବୁଠି ଚାଲିଛି ଚର୍ଚ୍ଚା ନିର୍ବାଚନର । କେଉଁ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ହାୱା, କେଉଁ ନେତାଙ୍କ ସପକ୍ଷ ଓ ବିପକ୍ଷ ରେ କିଏ, କେଉଁ ଦଳ ପାଇଁ ନିର୍ବାଚନ ମୁଦ୍ଦା କଣ ଏସବୁ ଚର୍ଚ୍ଚାକୁ ନେଇ ନିର୍ବାଚନ ମାହୋଲ ସରଗରମ ରହିଛି । ଏଥର ନିର୍ବାଚନରେ କିନ୍ତୁ ପ୍ରଭାବ ଦେଖାଉଛି ସୋସିଆଲ ମିଡ଼ିଆ । ସୋସିଆଲ ମିଡ଼ିଆ ସହାୟତାରେ କେଉଁ ପ୍ରାର୍ଥୀ ନିଜ ସପକ୍ଷରେ ସାଉଂଟୁଛି ଲୋକପ୍ରିୟତା ତ ପୁଣି କେଉଁ ପ୍ରାର୍ଥୀଙ୍କ ପୋଲ ଖୋଲୁଛି । କେଉଁ ପ୍ରାର୍ଥୀ କେତେ ଆକ୍ଟିଭ୍, ସୋସିଆଲ ମିଡ଼ିଆରେ କାହାର ବଢୁଛି କ୍ରେଜ । ଏବେ ଯୁବପିଢିଙ୍କ ପାଇଁ ସୋସିଆଲ ମିଡ଼ିଆ ପାଲଟିଛି ମୁଖ୍ୟ ମାଧ୍ୟମ । ବିଶେଷ ଭାବରେ ନୁଆଁ ପିଢିର ଭୋଟରଙ୍କୁ ବେଶ ଆକର୍ଶିତ କରୁଛି ସୋସିଆଲ ମିଡ଼ିଆ । ଫେସବୁକ୍ ପୋଲ ହିଁ କହୁଛି ଏଥର ନିର୍ବାଚନରେ କାହାର ପଲା କେତେ ଭାରି । ଫେସବୁକ ପୋଲ ବାସ୍ତବରେ ଭୋଟରେ ପରିଣତ ହେବ ନା ନାହିଁ ଏସବୁକୁ ନେଇ ରାଜନୈତିକ ମହଲ ଚଳଚଂଚଳ ରହିଛି । ନିର୍ବାଚନ କମିଶନଙ୍କ କଟକଣା ଓ ପର୍ଯ୍ୟବେକ୍ଷକଙ୍କ ତୀକ୍ଷଣ ଦୃଷ୍ଟି ରହିଥିଲେ ମଧ୍ୟ ଅଙ୍କୁଶ ଲାଗିପାରୁନି ସୋସିଆଲ ମିଡ଼ିଆ ଉପରେ । ଫେସବୁକ ପୋଲ କିଛି ଯୁବପିଢିଙ୍କ ପାଇଁ ଏବେ ପାଲଟିଛି ମନୋରଂଜନ ବିକଳ୍ପ । ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଫଟୋ ଲଗାଇ କେଉଁ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବାକୁ ଚାହୁଁଛନ୍ତି ଏବଂ କାହିଁକି ଉକ୍ତ ପ୍ରାର୍ଥୀଙ୍କୁ ପସନ୍ଦ କରନ୍ତି ଏହାକୁ ନେଇ କରାଯାଇଛି ଫେସବୁକ ପୋଲ । ନିର୍ବାଚନ ପାଇଁ କିଛି ଦିନ ବାକି ଥିବା ବେଳେ ଅନେକ ମତଦାତା ଫେସବୁକରେ ବଟନ ଦବାଇ ପ୍ରାର୍ଥୀଙ୍କ ସପକ୍ଷରେ କରୁଛନ୍ତି ମତଦାନ । ଏଥି ସହିତ କାହିଁକି ସେ ପ୍ରାର୍ଥୀଙ୍କୁ ସମର୍ଥନ କରନ୍ତି କିମ୍ବା ବିରୋଧ କରନ୍ତି ସେ ସମ୍ପର୍କରେ ମଧ୍ୟ ରଖୁଛନ୍ତି ସ୍ପଷ୍ଟ ମତ । ଫେସବୁକ ପୋଲ ଉପରେ ପ୍ରାର୍ଥୀମାନେ ମଧ୍ୟ ରଖିଛନ୍ତି ସତର୍କ ନଜର । ମତଦାତା ମାନଙ୍କ ମତାମତକୁ ନେଇ ନିଜର ରଣନୀତିରେ ପରିବର୍ତନ କରୁଥିବା ମଧ୍ୟ ଏଥର ନିର୍ବାଚନରେ ପରିଲିକ୍ଷିତ ହୋଇଛି । ସୋସିଆଲ ମିଡ଼ିଆ ଜରିଆରେ ନିଜ ଅଂଚଳର କଣ ସମସ୍ୟା ରହିଛି ଓ କେତେ ବିକାଶ ହୋଇଛି , ନେତା ସଫଳ ହୋଇଛନ୍ତି ନା ଲୋକଙ୍କ ସମସ୍ୟା ଠାରୁ ଦୂରେଇ ଯାଇଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ମତ ପ୍ରକାଶ ପାଉଥିବା ଦେଖାଯାଉଛି । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରତ୍ୟେକ ପ୍ରାର୍ଥୀ ହାତରେ ଆଣ୍ଡ୍ରେଏଡ଼୍ ମୋବାଇଲ ଧରି ସୋସିଆଲ ମିଡ଼ିଆ ସହାୟତାରେ ଖବର ମଧ୍ୟ ରଖୁଛନ୍ତି ନିଜ ସମଥଁକ ଓ ବିରୋଧୀ ମାନଙ୍କ । କେବଳ ଏତିକି ନୁହେଁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଘଟଣାବଳୀ ମଧ୍ୟ ସୋସିଆଲ ମିଡ଼ିଆ ଜରିଆରେ ସିଧା ପ୍ରଭାବ ପକାଉଛି ମତଦାତାଙ୍କ ଉପରେ । ରାଜ୍ୟ ଓ କେନ୍ଦ୍ରରେ କ୍ଷମତାସୀନ କିମ୍ବା ବିରୋଧୀ ଦଳର ନେତାଙ୍କ ବିଭିନ୍ନ ମନ୍ତବ୍ୟ . ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଷ୍ଟାର ପ୍ରଚାରକଙ୍କ ବକ୍ତବ୍ୟର ମୁଖ୍ୟାଂଶକୁ ଭାଇରାଲ କରାଯାଉଛି ସୋସିଆଲ ମିଡ଼ିଆ ଜରିଆରେ । ଏହାକୁ ଆଗ୍ରହର ସହିତ ପରିଲିକ୍ଷିତ କରୁଛନ୍ତି ଯୁବପିଢି ଓ ଶିକ୍ଷିତ ବର୍ଗର ଉଚ୍ଛଦାତା । ଏହା ବ୍ୟତିତ ପ୍ରାର୍ଥୀଙ୍କ ପୋଲ ଖୋଲିବାରେ ମଧ୍ୟ ପଛରେ ପଡ଼ିନାହିଁ ସୋସିଆଲ ମିଡ଼ିଆ । କେଉଁଠି ନିର୍ବାଚନ ଆଚରଣ ବିଧିର ଖୋଲା ଉଲଙ୍ଘନ ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ତ ଆଉ କେଉଁଠି ପ୍ରାର୍ଥୀ ମାନଙ୍କ ଦ୍ୱାରା ଭୋଟ ହାତେଇବା ପାଇଁ ଅନୈତିକ ଉପାୟ ଅବଲମ୍ବନ କରୁଥିଲେ ମଧ୍ୟ ପ୍ରତମେ ସୂଚନା ମିଳୁଛି ସୋସିଆଲ ମିଡ଼ିଆ ଜରିଆରେ । ପୋଲିସ ପ୍ରଶାସନ ପାଇଁ ତ ତୃତୀୟ ନୟନ ପାଲଟିଛି ସୋସିଆଲ ମିଡ଼ିଆ । ଯେ କୌଣସି ଘଟଣା ସ୍ଥଳରେ ବିଳମ୍ବରେ ପଂହଚିବା ଆମ ପୋଲିସର ବିରଳ ରେକର୍ଡ଼ ରହିଥିବା ବେଳେ ସୋସିଆଲ ମିଡ଼ିଆ ସହାୟତା କରୁଛି ଘଟଣାର ପ୍ରମାଣ ଯୋଗାଡ଼ରେ । କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉ କି ନେତାଙ୍କ ମଧ୍ୟରେ ବଚସା ରେକର୍ଡ଼ ହୋଇଯାଉଛି ମୋବାଇଲ କ୍ୟାମରାରେ ଏବଂ ଏହା ଭାଇରାଲ ହୋଇଯାଉଛି ସୋସିଆଲ ମିଡ଼ିଆରେ । ଏଥିରୁ ପୋଲିସକୁ ମିଳୁଛି ସହାୟତା । ତେବେ ଯେଉଁ ଦଳର ପ୍ରାର୍ଥୀଙ୍କ ବିଜୟ ହେଉ ନା କାହିଁକି ଏଥର ନିର୍ବାଚନରେ ଏକ ଗୁରୁତ୍ୱ ପୁର୍ଣ୍ଣ ଭୂମିକା ଗ୍ରହଣ କରୁଛି ସୋସିଆଲ ମିଡ଼ିଆ, ଏହାକୁ କେହିବି ଅସ୍ୱୀକାର କରିପାରିବେ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ