ଶ୍ରୀ ବିଗ୍ରହ ମାନଙ୍କ ରାଇ ଦାମୋଦର ବେଶ


ସନ୍ତୋଷ କୁମାର ଦାଶ

ପୁରୀ ଶ୍ରୀ ମନ୍ଦିର ରେ ବାର ମାସରେ ତେର ପର୍ବ ପାଳନ ହୋଇ ଆସୁଥିବା ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବିଗ୍ରହ ମାନେ ବର୍ଷ ସାରା ବିଭିନ୍ନ ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ପବିତ୍ର କାର୍ତ୍ତିକ ମାସରେ ବିଷ୍ଣୁ ଙ୍କୁ ଦାମୋଦର ନାମ ରେ ପୂଜା କରାଯାଏ। କାର୍ତ୍ତିକ ସବୁ ଠାରୁ ପବିତ୍ର ମାସ ଓ ବିଷ୍ଣୁଙ୍କର ଅତିପ୍ରିୟ ମାସ। ଏଣୁ ପ୍ରତିବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିର ର ରତ୍ନସିଂହାସନ ରେ ଶ୍ରୀବିଗ୍ରହ ମାନଙ୍କ ର ରାଧା ଦାମୋଦର ବା ରାଇ ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀ ମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ଶ୍ରୀ ମନ୍ଦିରରେ କାର୍ତ୍ତିକ ମାସରେ ରାତ୍ର ଦୁଇଘଡ଼ି ଥାଇ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ହେବା ପରେ ଶ୍ରୀବିଗ୍ରହମାନଙ୍କର ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ଠାକୁର ମାନେ ଏହି ବେଶରେ ବାଳ ଭୋଗ ପର୍ଯ୍ୟନ୍ତ ରହନ୍ତି । ଏହି ବେଶରେ ଥାଇ ଶ୍ରୀଜୀଉଙ୍କର ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଭୋଗ, ସକାଳ ଧୂପ ଓ ବାଳ ଭୋଗ ହୋଇଥାଏ । ବାଳଭୋଗ ଛେକ ଆସିବା ପରେ ମୁଦିରସ୍ତ ସେବକ ଶ୍ରୀ ଅଙ୍ଗ ରେ ପ୍ରସାଦ ଲାଗି କରନ୍ତି ଓ ବାଳ ଭୋଗ ସରିବା ପରେ ତିନି ବାଡ଼ରେ ବନ୍ଦାପନା ହୋଇ, ବେଶ ଓଲାଗି ହୋଇଥାଏ । ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ଓ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଠାକୁରମାନଙ୍କୁ ଲାଗି କରାଯାଇଥାଏ । ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀ ବଳଭଦ୍ର ତ୍ରିକଚ୍ଛ ପରିଧାନ କରିଥାନ୍ତି। ଦୁଇ ହସ୍ତରେ ସୁବର୍ଣ୍ଣ ନଳୀଭୁଜ (ନଳୀଭୂଜରେ ଆୟୁଧର ଚିତ୍ର ଥାଏ), ତ୍ରିମୁଣ୍ଡିରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ, ଚୂଳର ଅଗ୍ରଭାଗ ରେ ରୂପା ଚନ୍ଦ୍ରିକା, କର୍ଣ୍ଣଦେଶରେ କୁଣ୍ଡଳ, କଟିଦେଶରେ ଓଡ଼ିଆଣୀ କମରପଟି, କଣ୍ଠରେ ସୁବର୍ଣ୍ଣ ଘାଗଡ଼ା ମାଳି, କପାଳରେ ତିଳକ, ଚନ୍ଦ୍ର, ସୂର୍ଯ୍ୟ ଏବଂ ରାମାନନ୍ଦୀ ଚିତା ଇତ୍ୟାଦି ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉମାନେ ଭୂଷିତ ହୋଇଥାନ୍ତି । ମସ୍ତକରେ ଡଡ଼ଗି ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର, ସୁବର୍ଣ୍ଣ ଅଳଙ୍କାର ସହ ପାଟଶାଢ଼ୀ, ଫୁଟା, ଶିରୀ କପଡ଼ା, ପହରଣ, ବଳା, ଅଧର ବଳା ଓ ଉତ୍ତରୀୟ ବସ୍ତ୍ର ଲାଗି ହୁଏ । ଏହି ବେଶରେ ବିଭିନ୍ନ ବାରରେ ବିଭିନ୍ନ ରଙ୍ଗର ପାଟବସ୍ତ୍ର ଜୀଉମାନେ ଲାଗି ହୁଅନ୍ତି । ରବିବାର ନାଲି, ସୋମବାର ଧଳାରେ କଳାଛିଟ, ମଙ୍ଗଳବାର ବାରପାଟିଆ, ବୁଧବାର ନୀଳ, ଗୁରୁବାର ହଳଦିଆ, ଶୁକ୍ରବାର ଶୁକ୍ଳ ଓ ଶନିବାର କଳାରଙ୍ଗ ପାଟବସ୍ତ୍ର ଲାଗି ହୁଅନ୍ତି । ରାଇ ଦାମୋଦର ବେଶ ସମ୍ପର୍କ ରେ ଅନେକ ଲୋକ କଥା ରହିଛି। ଶ୍ରୀ ଜଗନ୍ନାଥ ବା ଭଗବାନ ବିଷ୍ଣୁଙ୍କର କାର୍ତ୍ତିକ ମାସର ନାମ ହେଉଛି ‘ଦାମୋଦର’। ଏହାର ସଂପର୍କ ରହିଛି ଦ୍ୱାପର ଯୁଗର ଶ୍ରୀକୃଷ୍ଣଙ୍କ ସହିତ। କାରଣ ‘ଦାମ’ର ଅର୍ଥ ରଜ୍ଜୁ ବା ଦଉଡ଼ି। କୁବେରଙ୍କ ପୁତ୍ର ନଳ କୁବେର ଓ ମଣିଗ୍ରୀବ ଧନଗର୍ବରେ ଅନ୍ଧ ଓ ମଦମତ୍ତ ହୋଇ କର୍ତ୍ତବ୍ୟ ,ଅକର୍ତ୍ତବ୍ୟ ,ଜ୍ଞାନ ଭୁଲି ଯାଇଥିବାରୁ ନାରଦ ସେମାନଙ୍କୁ ଅଭିଶାପ ଦେଇଥିଲେ। ତାହା ଫଳରେ ଦୁହେଁ ଦୁଇଟି ଅର୍ଜୁନ ବୃକ୍ଷ ରୂପେ ମର୍ତ୍ତ୍ୟରେ ଜାତ ହୋଇଥିଲେ। ଶ୍ରୀ କୃଷ୍ଣ ସେହି ବୃକ୍ଷ ଦୁଇଟିକୁ ଉପାଡ଼ିଦେବା ଫଳରେ ଦୁହିଁଙ୍କର ଗର୍ବ ଭାଙ୍ଗିଲା ଏବଂ ସେମାନେ ବୃକ୍ଷତ୍ୱରୁ ମୁକ୍ତି ଲାଭ କଲେ। ବ୍ୟାସଦେବଙ୍କ ସଂସ୍କୃତ ‘ଶ୍ରୀମଦ୍ଭାଗବତ’ ଅନୁସାରେ, ଏହା ଥିଲା ଶ୍ରୀକୃଷ୍ଣଙ୍କ ପିଲାଦିନର କଥା। ଯଶୋଦା ତାଙ୍କ ଅଣ୍ଟାରେ ଦଉଡ଼ି ବାନ୍ଧି, ସେହି ଦଉଡ଼ିକୁ ଗୋଟିଏ ଢିଙ୍କି ସହିତ ବାନ୍ଧି ଦେଇଥିଲେ। ସେହି ଯାଆଁଳା ଅର୍ଜୁନ ବୃକ୍ଷର ମଝିରେ ଶ୍ରୀକୃଷ୍ଣ ଗଳି ଚାଲିଯିବା ପରେ, ଢିଙ୍କିଟି ଦୁଇ ଅର୍ଜୁନ ବୃକ୍ଷରେ ଲାଗି ଯାଇଥିଲା। ସେ ଅଣ୍ଟାରେ ବନ୍ଧା ହୋଇଥିବା ଦଉଡ଼ିଟିକୁ ଜୋର୍‌ରେ ଟାଣିଦେବା ଫଳରେ ବୃକ୍ଷ ଦୁଇଟି ଉପୁଡ଼ି ପଡ଼ିଲା। ଅଣ୍ଟା ବା ‘ଉଦର’ରେ ଦଉଡ଼ି ବା ‘ଦାମ’ ବନ୍ଧା ହୋଇଥିବାରୁ ଶ୍ରୀକୃଷ୍ଣ ହେଲେ ‘ଦାମୋଦର। ଏହି ଦୃଷ୍ଟିରୁ ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀକୃଷ୍ଣ ଓ ବଳରାମଙ୍କର ‘ରାଧା ଦାମୋଦର’ ବେଶ ବେଳେ, ସେମାନଙ୍କର ଅଣ୍ଟାରେ ସୁନାର ଦଉଡ଼ି ବା ଅଣ୍ଟାପଟି ବନ୍ଧା ହୋଇଥାଏ ।ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିକଚ୍ଛ ବସ୍ତ୍ର ପରିଧାନ କରନ୍ତିଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିକଚ୍ଛ ବସ୍ତ୍ର ପରିଧାନ କରନ୍ତି। ହସ୍ତରେ ଲାଗି ହୁଏ ସୁବର୍ଣ୍ଣର ନଳୀଭୁଜ। ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ ତ୍ରିମୁଣ୍ଡି ଉପରେ ରହିଥାଏ ଏବଂ ଚୂଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭାପାଏ। କର୍ଣ୍ଣରେ କୁଣ୍ଡଳ, ଶ୍ରୀମୁଖରେ ତିଳକ ଆଦିରେ ବଡ଼ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଭୂଷିତ ହୁଅନ୍ତି। ଏହି ବେଶ ର ନାମ ମଧ୍ୟ ରାଧା ଦାମୋଦର ବେଶ। ଭକ୍ତଚରଣ ଦାସଙ୍କ ‘ମଥୁରା ମଙ୍ଗଳ’ ଓ ଅନ୍ୟ କେତେକ କାବ୍ୟ ରେ ଶ୍ରୀରାଧା ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ବେଶ କରିବାର ବର୍ଣ୍ଣନା ଅଛି। ସମ୍ଭବତଃ ଶ୍ରୀରାଧାଙ୍କର ପ୍ରିୟ ବେଶ ହୋଇଥିବାରୁ ଏହାର ନାମ ରାଧା ଦାମୋଦର ବେଶ ହୋଇଛି। ଏହି ମାସରେ ମହିଳାମାନେ କରୁଥିବା ‘ରାଈ-ଦାମୋଦର ବ୍ରତ’ରେ ‘ଦାମୋଦର’ଙ୍କ ସହିତ ‘ରାଧା’ ବା ‘ରାଈ’ଙ୍କୁ ଏକତ୍ର ପୂଜା କରାଯାଇ ଥାଏ। ପୌରାଣିକ କଥା ଅନୁଯାୟୀ, ଅକୃର ମଥୁରାକୁ ଯିବା ସମୟରେ ଯମୁନା ନଦୀରେ ସ୍ନାନ କରୁଥିବା ବେଳେ ଜଳ ମଧ୍ୟରେ ଏହି ‘ରାଧା ଦାମୋଦର’ ବେଶ ଦର୍ଶନ କରିଥିଲେ । ଏଣୁ ପ୍ରତିବର୍ଷ ଶ୍ରୀ ବିଗ୍ରହ ମାନଙ୍କୁ ରାଧା ଦାମୋଦର ବେଶ ରେ ସଜ୍ଜିତ କରାଯାଇଥାଏ। ଏହି ବେଶ କୁ ନେଇ ଅନ୍ୟ ଏକ ଲୋକକଥା ରହିଛି। ମହାପ୍ରଭୁ ଙ୍କ ବଡ଼ପଣ୍ଡା ଙ୍କର ଝିଅ ଟିଏ ଥିଲା। ତାର ନାଁ ରାଇ। ତାର ଭକ୍ତି ଓ ନିଷ୍ଠା ରେ ପ୍ରୀତ ହୋଇ ଶ୍ରୀ ଜଗନ୍ନାଥ ତାକୁ ଵିଵାହ କରିଥିଲେ। କିନ୍ତୁ ଶ୍ରୀ ମନ୍ଦିର କୁ ସାଥିରେ ନେଇ ନ ଥିଲେ। ନାରଦ ମୁନିଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରିବାରୁ ମା ଲକ୍ଷ୍ମୀ ଏ କଥା ଜାଣି
ରାଇ କୁ ଉଚିତ ସମ୍ମାନ ଦେବାକୁ ଶ୍ରୀ ଜଗନ୍ନାଥ ଙ୍କୁ ଅନୁରୋଧ କରିଥିଲେ। ରାଇ ର ମୃତ୍ୟୁ ପରେ ତାର ଆତ୍ମା ମୋକ୍ଷ ପ୍ରାପ୍ତି ହୋଇଥିଲା ତାର ସମ୍ମାନାର୍ଥେ ପ୍ରତିବର୍ଷ ଶ୍ରୀ ବିଗ୍ରହ ମାନେ ରାଇ ଦାମୋଦର ବେଶ ରେ ସଜ୍ଜିତ ହୋଇଥାନ୍ତି। ଦେବର୍ଷୀ ନାରଦ କହିଛନ୍ତି ଯେଉଁ ବ୍ୟକ୍ତି କାର୍ତ୍ତିକ ବ୍ରତ ନିଷ୍ଠାର ସହିତ ପାଳନ କରିବ ଓ ରାଈ ଦାମୋଦରଙ୍କୁ ଉପାସନା କରିବ ସେ ନିଶ୍ଚୟ ବୈକୁଣ୍ଠ ପ୍ରାପ୍ତି ହେବ।ଏହି ପଚିଶି ଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସକାଳ ଧୂପ ପରେ ଏକ ଅତିରିକ୍ତ ଭୋଗ ସମର୍ପଣ ହୁଏ। ଏହା ବାଳଭୋଗ ନାମରେ ପରିଚିତ। ଏଥିରେ ଖଇ, ନଡ଼ିଆ ପାତି ଓ କୋରା ଭୋଗ ହୋଇଥାଏ। ଜୟ ଜଗନ୍ନାଥ ସ୍ଵାମୀ।।

୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ