ଗଜପତି ଉତ୍ସବ-୨୦୧୯ ପାଇଁ ପ୍ରସ୍ତୁତି ଶେଷ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଉତ୍ସବ-୨୦୧୯କୁ ଶତ ପ୍ରତିଶତ ସଫଳ କରିବା ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ସାହା ଉତ୍ସବ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି । ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀସାହା ସୂଚନା ଦେଇ କହିଛନ୍ତି ଯେ, ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଆସନ୍ତା କାଲି ସନ୍ଧ୍ୟା ୬ ଘଣ୍ଟା ସମୟରେ ଗଜପତି ଉତ୍ସବ-୨୦୧୯ ଆନୁଷ୍ଠାନିକ ଭାବେ ଶୁଭଆରମ୍ଭ ହେବ । ଆସନ୍ତା ୧୦ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ଜିଲାସ୍ତରୀୟ ଗଜପତି ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ଆସନ୍ତ କାଲି ମଧ୍ୟାହ୍ନ ୩ଘଣ୍ଟା ସମୟରେ ଜଗନ୍ନାଥ ମନ୍ଦିର ପରିସରରୁ ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ଗଜପତି ଉତ୍ସବ ପାଇଁ ଆସିଥିବା ଜ୍ୟୋତିକୁ ଗଜପତି ଷ୍ଟାଡିୟମକୁ ନିଆଯିବ । ଏହି ଶୋଭାଯାତ୍ରାରେ ଗଜପତି ଜିଲ୍ଲାର ୭ଗୋଟି ବ୍ଲକ୍ର ଆଦିବାସୀ ଏବଂ ବିଭିନ୍ନ କଳା ସାଂସ୍କୃିତକ କାର୍ଯ୍ୟକ୍ରମ ପ୍ରଦର୍ଷିତ କରାଯିବ । ଗଜପତି ଉତ୍ସବର ୫ଦିନରେ ପଲ୍ଲୀଶ୍ରୀମେଳା, କୃଷିମେଳା ଓ ଖାଦ୍ୟମେଳା ଇତ୍ୟାଦିର ଆୟୋଜନ ମଧ୍ୟ କରାଯିବ । ଏହି ୫ଦିନ କାର୍ଯ୍ୟକ୍ରମରେ ବିଭିନ୍ନ ସନ୍ଧ୍ୟାରେ ବହୁ ପ୍ରତିଷ୍ଠିତ ଓ ବରଣ୍ୟବ୍ୟକ୍ତି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବରେ ପଦ୍ମଶ୍ରୀ ଯଶପାଲ ସିଂ ଲୋକ ପ୍ରିୟା ରଙ୍ଗବତୀ ଗୀତକୁ ପରିବେଷଣ କରିବେ । ଜିଲା, ରାଜ୍ୟ ଓ ଅନ୍ୟରାଜ୍ୟରୁ ବହୁ କଳାକାର ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଓଡ଼ିଶା ବାହାରରୁ ୮ ଗୋଟି ଓଡିଶାର ବିଭିନ୍ନ ଜିଲ୍ଲା ଯଥା ବୈଦ, ବଲାଙ୍ଗୀର, ସମ୍ବଲପୁର, ରାୟଗଡା, ଗଂଜାମ, ଖୋର୍ଦ୍ଧା ଇତ୍ୟାଦି ଜିଲାର କଳାକାରମାନେ ଯୋଗଦେବାପାଇଁ ସ୍ଥିର ହୋଇଛି । ଉତ୍ସବର ପ୍ରଥମ ୩ଦିନରେ ହେବାକୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଗର ଜ୍ଞାନାନନ୍ଦ ଓ ତାଙ୍କ ଟିମ୍ କାର୍ଯ୍ୟକ୍ରମକୁ ପରିଚାଳନା କରିବାକୁଥିବାବେଳେ ଚତୁର୍ଥ ଓ ପଞ୍ଚମ ଦିନରେ ବ୍ରହ୍ମପୁରର ଦୁଇ ଜଣ ଗୁଲାମ ଓ ଟ୍ୱିଙ୍କେଲ କାର୍ଯ୍ୟକ୍ରମ ପରିଚାଳନାକରିବେ । ସେହିପରି ବିଭିନ୍ନ ପ୍ରଦର୍ଶନୀ ନିମନ୍ତେ ୨୩୦ଗୋଟି ଷ୍ଟଲ ଖୋଲାଯିବାକୁଥିବାବେଳେ ସେଥି ମଧ୍ୟରୁ ପଲ୍ଲୀଶ୍ରୀମେଳା ପାଇଁ ୧୦୦ଗୋଟି ଷ୍ଟଲ ଖୋଲା ଯିବାକୁ ସ୍ଥିର ହୋଇଛି । ଗଜପତି ଉତ୍ସବର ସଭା ମଣ୍ଡପକୁ ପାରଳାଖେମୁଣ୍ଡି ରାଜପ୍ରାସାଦର ଏକ ଅବିକଳ ନକଲ ଭାବେ ଅତି ସୁନ୍ଦରଭାବେ ପ୍ରତିଷ୍ଠା କରାଯାଇଛି । ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଂଜନ ଭଂଜଦେଓ, ଉପ-ଜିଲ୍ଲାପାଳ ରଂଜନୀକାନ୍ତ ସ୍ୱାଇଁ, ପିଏ ଆଇ.ଟି.ଡି.ଏ ସୋରଜ କୁମାର ବେହେରା ଉପସ୍ଥିତ ଥିଲେ ।


