ଜୀବନ ଦେଇ ୩ଠ ଜଣଙ୍କୁ ବଞ୍ଚାଇଲା କୁକୁର
ଲକ୍ଷେ୍ନ(ଏଜେନ୍ସି): ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାରେ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । ଏହି ଜିଲ୍ଲାର ଅତାରା ବିଜ୍ଞାପିତ ଅଞ୍ଚଳର ଏକ ପାଳିତ କୁକୁର ଯୋଗୁଁ ୩ଠ ଲୋକଙ୍କ ଜୀବନ ବଞ୍ôଚଯାଇଛି ସତ କିନ୍ତୁୂ କୁକୁରଟି ପ୍ରାଣ ହରାଇଛି । ପ୍ରାପ୍ତ ସୂଚନା ଅନୁସାରେ ଅତାରା ବିଜ୍ଞାପିତ ଅଞ୍ଚଳସ୍ଥିତ ଏକ କୋଠାରେ ଗୁରୁବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା । ଉକ୍ତ କୋଠାର ତଳ ମହଲାରେ ଥିବା ଏକ ଫର୍ଣ୍ଣିଚର ଶୋ’ରୁମ୍ରୁ ସଟର୍୍ ସର୍କିଟ୍ ହୋଇ ଏହି ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି । ତେବେ ସେହି କୋଠାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପାଳିତ କୁକୁର ଭୁକି ଭୁକି ଲୋକଙ୍କୁ ସତର୍କ କରାଇଥିଲା । ଫଳରେ ଲୋକେ ଘରୁ ପଦାକୁ ବାହାରି ଜୀବନ ରକ୍ଷା କରିଥିଲେ । ମାତ୍ର ସେଠାରେ ଏକ ଚେନ୍ରେ ବନ୍ଧା ହୋଇଥିବା ଉକ୍ତ କୁକୁର କଥା ସମସ୍ତେ ଭୁଲିଯାଇଥିଲେ । ଭୋର ସମୟରେ ଏଠାରେ ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା ଯେଉଁଥିରେ କୁକୁରଟି ପ୍ରାଣ ହରାଇଥିଲା । ଅଗ୍ନିକାଣ୍ଡରେ କୋଠାର ୪ଟି ମହଲା କ୍ଷତିଗ୍ରସ୍ତ ହୋଇଛି ସତ କିନ୍ତୁ କୌଣସି ବ୍ୟକ୍ତିବିଶେଷଙ୍କ ବିଶେଷକିଛି କ୍ଷତି ହୋଇନାହିଁ । ଘଟଣାସ୍ଥଳରେ ପୁଲିସ୍ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଲୋକମାନେ ଏବେ ସେମାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ପ୍ରାଣବଳୀ ଦେଇଥିôବା ପାଳିତ କୁକୁରଟିକୁ ଝୁରୁଛନ୍ତି । ମଣିଷ ସଭ୍ୟତାର ଆରମ୍ଭରୁ ଅତି ବିଶ୍ୱସ୍ତ ପ୍ରାଣୀ ହୋଇ ରହିଆସିଥିବା କୁକୁରଙ୍କ ବିଶ୍ୱସନୀୟତାର ଆଉ ଏକ ନିଦର୍ଶନ ଏଠାରେ ଦେଖିବାକୁ ମିଳିଛି ।
ନିକଟ ଅତୀତରେ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏପ୍ରକାର ଏକ ଘଟଣା ଦେଖିବାକୁ ମିଳିଥିଲା । ଏଠାରେ ଏକ ପୋଷା କୁକୁର ‘ଟାଇସନ୍’ ନିଜ ମାଲିକ ଘର ପ୍ରାଙ୍ଗଣରେ ପଶିଥିବା ଏକ ବିଷଧର ନାଗ ସାପକୁ ଦେଖି ତା’ ସହ ଲଢ଼ିବା ଆରମ୍ଭ କରିଦେଇଥିଲା । ନାଗ ସାପଟି ଘର ଭିତରକୁ ପଶିବାକୁ ବାରମ୍ବାର ଚେଷ୍ଟା କରୁଥିଲେ ମଧ୍ୟ ଟାଇସନ୍ ତା’କୁ ବାଟ ଛାଡିନଥିଲା । ଅଧଘଣ୍ଟାରୁ ଅଧିକ ସମୟ ଟାଇସନ୍ ଏବଂ ଉକ୍ତ ନାଗ ସାପ ମଧ୍ୟରେ ଲଢ଼େଇ ଚାଲିବା ପରେ ଶେଷରେ ନାଗସାପଟିକୁ ମାରିବାରେ ଟାଇସନ୍ ସଫଳ ହୋଇଥିଲା । କିନ୍ତୁ ସାପର ବାରମ୍ବାର ଚୋଟରେ ଟାଇସନ୍ ମଧ୍ୟ ମୃତ୍ୟୁଲାଭ କରିଥିଲା । ସେହିପରି କେରଳର ଇଦୁକୀ ଜିଲ୍ଲାରେ ମଧ୍ୟ ଏକ ପାଳିତ କୁକୁର ଭୂକମ୍ପ ସମ୍ପର୍କରେ ଜାଣିପାରି ରାତି ଅଧରେ ନିଜ ମାଲିକର ପୁରା ପରିବାର ଲୋକଙ୍କୁ ଭୁକି ଭୁକି ଉଠାଇଦେଇଥିଲା । ସେମାନେ ଘରବାହାରକୁ ଚାଲିଆସିବାର ନିମିଷକ ମଧ୍ୟରେ ଘରର କିଛି ଅଂଶ ଭୁଷୁଡି ପଡିଥିଲା । ରକି ନାମକ ଏହି ପାଳିତ କୁକୁର ଯୋଗୁଁ ଉକ୍ତ ପରିବାରର ୭ଜଣ ସଦସ୍ୟ ସେହି ରାତିରେ ଜୀବନ ବଞ୍ଚାଇପାରିଥିଲେ ।


