ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗ ନେଇ ଭାରତ ଡେନମାର୍କ ମଧ୍ୟରେ ରାଜିନାମାକୁ କ୍ୟାବିନେଟର ଅନୁମୋଦନ
ସମୁଦ୍ର କୂଳ ପବନ ଶକ୍ତି ଉପରେ ବିଶେଷ ଧ୍ୟାନ ଦେଇ ଅକ୍ଷୟ ଶକ୍ତି କ୍ଷେତ୍ରରେ ରଣନୈତିକ ସହଯୋଗ ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଏବଂ ଡେନମାର୍କ ସରକାରଙ୍କ ଶକ୍ତି, ଉପଯୋଗ ଓ ପାଣିପାଗ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ରାଜିନାମା ଏବଂ ଭାରତରେ ଏକ ଇଣ୍ଡୋ- ଡାନିସ ଅକ୍ଷୟ ଶକ୍ତି ଉକ୍ରର୍ଷ କେନ୍ଦ୍ର ପ୍ରତିଷ୍ଠା ନେଇ ବୁଝାମଣା ପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ରାଜିନାମା ନୂଆଦିଲ୍ଲୀଠାରେ ୨୦୧୯ ମାର୍ଚ୍ଚ ମାସରେ ସ୍ୱାକ୍ଷରିତ ହୋଇଥିଲା ।
ଏହି ସହଯୋଗ ରାଜିନାମାର ଉଦ୍ଦେଶ୍ୟ ହେଉଛି ସମୁଦ୍ର କୂଳ ପବନ ଶକ୍ତି ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରି ଉଭୟ ଦେଶ ମଧ୍ୟରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା । ସମୁଦ୍ର କୂଳ ପବନ ଶକ୍ତି ପ୍ରକଳ୍ପ ଗୁଡ଼ିକର ପରିଚାଳନା ପାଇଁ ବୈଷୟିକ କ୍ଷମତା ବୃଦ୍ଧି, ପବନ ଶକ୍ତିକୁ ନେଇ ଉଭୟ ସମୁଦ୍ର ତଟ ଏବଂ ଏହାଠାରୁ ଦୂରରେ ଉଚ୍ଚ କ୍ଷମତା ସମ୍ପନ୍ନ ଉଦ୍ୟୋଗର ବିକାଶ ଏବଂ ଏହାର ପରିଚାଳନା, ଉଚ୍ଚ ଗୁଣାତ୍ମକତା ବିଶିଷ୍ଟ ପବନ ଟର୍ବାଇନ ନିଶ୍ଚିତ କରାଇବା, ଆବଶ୍ୟକୀୟ ସରଂଜାମ ଏବଂ ପ୍ରମାଣପତ୍ରର ଆବଶ୍ୟକତା, ସମୁଦ୍ର କୂଳ ପବନ ନେଇ ପୂର୍ବାନୁମାନ ଏବଂ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଏହି ସହଯୋଗର ଅନ୍ତର୍ଭୁକ୍ତ । ଇଣ୍ଡୋ-ଡାନିସ ସମନ୍ୱିତ ଅକ୍ଷୟ ଶକ୍ତି ଉକ୍ରର୍ଷ କେନ୍ଦ୍ର ଅକ୍ଷୟ ଶକ୍ତି ସମ୍ପଦ ଆକଳନ କ୍ଷେତ୍ରରେ କାର୍ଯ୍ୟ କରିବ ଯାହାର ବିଶେଷ ଗୁରୁତ୍ୱ ରହିବ ସମୁଦ୍ର କୂଳ ଏବଂ ଏହାର ଦୂରବର୍ତୀ ସ୍ଥାନର ପବନ ଉପରେ, ପବନର ହାଇବ୍ରିଡାଇଜେସନ, ସୌର, ଜଳଜ ଏବଂ ସଂରକ୍ଷଣ ଜ୍ଞାନକୌଶଳ, ପବନ ଶକ୍ତି ଓ ଅକ୍ଷୟ ଶକ୍ତି ମଧ୍ୟରେ ସମନ୍ୱୟକରଣ, ଆର ଆଣ୍ଡ ଡିର ପରୀକ୍ଷଣ, ଦକ୍ଷତା ବିକାଶ ଏବଂ କ୍ଷମତା ବିକାଶ ଉପରେ । ଏହି ରାଜିନାମା ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବିକାଶ ସୁଦୃଢ଼ ହେବା ନେଇ ସହାୟକ ହେବ ।