‘ଭାରତ ରତ୍ନଠାରୁ ବହୁ ଉର୍ଦ୍ଧ୍ବରେ ଜାତିର ପିତା ମହାତ୍ମା ଗାନ୍ଧି’

ନୂଆଦିଲ୍ଲୀ : ମହାତ୍ମା ଗାନ୍ଧିଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯିବା ନେଇ ଏକ ଯାଚିକା ସୁପ୍ରିମ୍‌କୋର୍ଟରେ ଦାଏର କରାଯାଇଥିଲା। ଶୁକ୍ରବାର ଏହି ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ.ବୋବେଡ କହିଛନ୍ତି ଯେ, ମହାତ୍ମା ଗାନ୍ଧି ହେଉଛନ୍ତି ରାଷ୍ଟ୍ରପିତା। ଯେକୌଣସି ଔପଚାରିକ ସମ୍ମାନଠାରୁ ବହୁ ଊର୍ଦ୍ଧ୍ବରେ ରହିଛନ୍ତି ଜାତିର ପିତା ମହାତ୍ମା ଗାନ୍ଧି । ତେବେ ଯାଚିକାକର୍ତ୍ତା ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ସାମ୍ନାରେ ଉଠାଇପାରିବେ। କିନ୍ତୁ ସୁପ୍ରିମ୍‌କୋର୍ଟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ମନା କରିଛନ୍ତି ।
ମହାତ୍ମା ଗାନ୍ଧିଙ୍କ ଜାତିର ପିତା ବୋଲି ଆଖ୍ୟା ଦିଆଯାଇଛି । ଦେଶର ସ୍ବାଧୀନତା ଆନ୍ଦୋଳନରେ ଜନତାଙ୍କୁ ଯୋଡ଼ି ରଖିଥିବା ମହାତ୍ମା ଗାନ୍ଧିଙ୍କୁ କେବଳ ଆମ ଦେଶରେ ନୁହେଁ ବରଂ ସମଗ୍ର ଦୁନିଆରେ ତାଙ୍କୁ ସମ୍ମାନ କରାଯାଏ। ସୂଚନାଯୋଗ୍ୟ, ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ହେଉଛି ଭାରତ ରତ୍ନ। ଦେଶର ବିକାଶରେ ସର୍ବଶ୍ରେଷ୍ଠ ଯୋଗଦାନ ପାଇଁ ବ୍ୟକ୍ତିଙ୍କୁ ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥାଏ । ଏହି ସମ୍ମାନ ପାଇଁ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ସୁପାରିଶ କରିଥାଏ। ଏହାପରେ ଭାରତର ରାଷ୍ଟ୍ରପତିଙ୍କ ଦ୍ବାରା ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ପ୍ରଥମ ଭାରତ ରତ୍ନ ୧୯୫୪ରେ ଦିଆଯାଇଥିଲା। ଏପର୍ଯ୍ୟନ୍ତ ୪୮ ଜଣ ନାଗରିକଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଗତ ବର୍ଷ ତିନି ଜଣଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହି ତିନିଜଣ ହେଉଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଗୀତିକାର ଭୂପେନ୍‌ ହଜାରିକା ଓ ସମାଜସେବୀ ନାନାଜୀ ଦେଶମୁଖ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ