ମା’ ମଙ୍ଗଳାଙ୍କ ଚତୁର୍ଥ ପାଳି ଯାତ୍ରା
କାକଟପୁର (ଜୁଗାବ୍ଦ ନ୍ୟୁଜ୍):ମଙ୍ଗଳବାର କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଚତୁର୍ଥ ପାଳି ଯାତ୍ରା ପାଳିତ ହୋଇଯାଇଛି । ଚୈତ୍ର ମଙ୍ଗଳବାରର ଆଜି ଥିଲା ଚତୁର୍ଥ ପାଳି ଯାତ୍ରା । ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ନିମନ୍ତେ ଭିଡ ଜମାଇଥିଲେ କାକଟପୁରରେ । ମଧ୍ୟରାତ୍ରରୁ ମା’ଙ୍କ ମଙ୍ଗଳ ଆଳତୀ ପରେ ବସ୍ତ୍ର ଉଲାଗି, ମାଘ ସ୍ନାନ, ବସ୍ତ୍ର ଲାଗି, ଅଳଙ୍କାର ଲାଗି, ଚନ୍ଦନ ଲାଗି, ସୂର୍ଯ୍ୟପୁଜା, ବଲ୍ଲଭ ଅବକାଶ ଏବଂ ସକାଳ ଧୂପ ପରେ ସର୍ବସାଧାରଣ ଦର୍ଶନ ନିମନ୍ତେ ପହୁଡ ଖୋଲାଯାଇଥିଲା । ଶ୍ରଦ୍ଧାଳୁ ମନ୍ଦିର ବାରିକେଟରେ ଶୃଙ୍ଖଳିତ ଭାବେ ଯାଇ ମା’ଙ୍କ ଦର୍ଶନ କରିଥିଲେ । ବେଢାମଧ୍ୟରେ ସଧବା ମାମାନେ ପନ୍ଥେଇ ପୂଜା କରିବା ସହିତ ପରିବାରର ମଙ୍ଗଳ ମନାସୀ ମା’ଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରିଥିଲେ । ପାଟୁଆମାନେ ପ୍ରାଚୀ ନଦୀର ଘଣ୍ଟତୋଳା ଘାଟରୁ ପାଣି ତୋଳି ମା’ଙ୍କ ବେଢାରେ ନୃତ୍ୟ ପରିବେଷଣ କରିଥିଲେ । ମଙ୍ଗଳା ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତୀକ ପଟ୍ଟନାୟକ ଏବଂ ଉପନିର୍ବାହୀ ସୁମନ୍ତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା କାକଟପୁର ଥାନା ପୁଲିସ୍ ପକ୍ଷରୁ ଶୃଙ୍ଖଳିତ ଭାବେ ଯାତ୍ରା ପରିଚାଳନା କରାଯାଇଥିଲା । ମଧ୍ୟ ରାତ୍ରରେ ମା’ଙ୍କ ପ୍ରସିଦ୍ଧ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥିଲା ।


