ଆଗାମୀ ସାଧାରଣ ନିର୍ବାଚନ ଲାଗି କମ୍ପୁଛି ପ୍ରଚାର ମୈଦାନ
କଣ୍ଟିଲୋ (ଜୁଗାବ୍ଦ ନ୍ୟୁଜ୍): ଆଗାମୀ ସାଧାରଣ ନିର୍ବାଚନ ଲାଗି କମ୍ପୁଛି ପ୍ରଚାର ମୈଦାନ । କିଏ ପଦଯାତ୍ରା କରି ଭୋଟରଙ୍କ ପାଖରେ ପହଞ୍ଚୁଛି ତ ଆଉ କିଏ ରୋଡ଼ ସୋ କରି ଶକ୍ତି ପ୍ରଦର୍ଶନ କରୁଛି । ଦିନରାତି ପ୍ରତିଦ୍ୱନ୍ଦ୍ୱିଙ୍କ ମଧ୍ୟରେ ପ୍ରଚାର ଜାରିରହି ଛକାପଞ୍ଚା ଲାଗିରହିଛି । କଟକ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ଖଣ୍ଡପଡ଼ା ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଭାପୁର ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ପ୍ରଚାର କରିଛନ୍ତି । ଦଳୀୟନେତା ଓ କର୍ମୀଙ୍କ ଗହଣରେ ବାଇକ୍ ରାଲି କରି ଗାଁ ଗଣ୍ଡା ବୁଲି ଗୁରୁଜୀଙ୍କ ଆଶିର୍ବାଦ ନେବାସହ ଭୋଟରଙ୍କୁ ନିବେଦନ କରିଛନ୍ତି । ବିଜେଡି ଭାପୁର ବ୍ଲକ୍ ସଭାପତି ତଥା ବ୍ଲ୍କ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ା, ବ୍ଲକ୍ ସଙ୍ଗଠକ, ଜିତେନ୍ଦ୍ର ରଣସିଂହଙ୍କ ତତ୍ତ୍ୱାବଧାନରେ ଫତେଗଡ଼ ବଜାରରୁ ଶୁଭାରମ୍ଭ ହୋଇ ଭାପୁର ବ୍ଲକ୍ର ସମସ୍ତ ପଞ୍ଚାୟତ ପରିକ୍ରମା ପରେ ବିଜିପୁର ସାଇ ମନ୍ଦିର ନିକଟରେ ରୋଡ଼ ଶୋ ଶେଷ ହୋଇଥିଲା । ସବୁଠି ମହିଳାମାନେ ଫୁଲମାଳ ପିନ୍ଧାଇ ଦୁଇ ପ୍ରାର୍ଥୀଙ୍କୁ ସ୍ୱାଗତ କରିଥିଲେ । ଅପରାହ୍ନରେ ସୌମ୍ୟବିହାରରୁ ବିଜେଡି ପ୍ରଚାର ଆରମ୍ଭ ହୋଇଥିଲା । ସୌମ୍ୟରଞ୍ଜନ ଓ ଭର୍ତ୍ତୃହରି ବିରାଟ ପଟୁଆରରେ ପ୍ରଥମେ ଶାଳଝରିଆ ପଞ୍ଚାୟତ ବୁଲିଥିଲେ । ପରେ ଖଣ୍ଡପଡ଼ା ବ୍ଲକ୍ର ସମସ୍ତ ପଞ୍ଚାୟତ ପରିକ୍ରମା କରିସାରିବାପରେ କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥଲେ । ଏହାପରେ ବଡ଼ବାଣପୁର ଦେଇ ସିଧାମୂଳା ଗ୍ରାମରେ ରୋଡ଼ ଶୋ ଶେଷ ହୋଇଥିଲା । ହଜାର ହଜାର କର୍ମୀଙ୍କ ଗହଣରେ ବାଇକ୍ ରାଲି କରି ବିଜେଡିର ବିଧାୟକ ପ୍ରାର୍ଥୀ ଓ କଟକ ସାଂସଦ ପ୍ରାର୍ଥୀ ବୁଲୁଥିବାର ଦେଖି ବିରୋଧୀଙ୍କ ଶିବିରରେ ଚିନ୍ତା ହୋଇଯାଇଛି । ପ୍ରଚାର ଅବସରରେ ଶ୍ରୀ ମହତାବ କହିଥିଲେ ଯେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡିର ସ୍ଥିତି ବହୁତ ଭଲ ରହିଛି । ଓଡ଼ିଶାର ଅପ୍ରତିଦ୍ୱନ୍ଦୀ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଥିବା ବିପୁଳ ସମର୍ଥନ ଏଠି ଝଲସୁଛି । ଏହି ନିର୍ବାଚନ ମଣ୍ଡଳୀରୁ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ନିଶ୍ଚିତଭାବେ ଏବିପୁଳ ଭୋଟରେ ନିର୍ବାଚିତ ହେବେ ବୋଲି ସେ କହିଛନ୍ତି । ଶ୍ରୀ ପଟ୍ଟନାୟକ ମଧ୍ୟ କହିଥିଲେ ଯେ ପ୍ରବଳ ଖରାକୁ ଖାତିର ନକରି ଲୋକେ ଆମକୁ ଅକୁଣ୍ଠିତ ସମର୍ଥନ ଜଣାଇଛନ୍ତି । ୨୦୧୯ ନିର୍ବାଚନ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିବେ । ଏହି ଗୌରବ ଓଡ଼ିଶା ତଥା ସାରା ଦେଶରେ କାହାକୁ ମିଳିନାହିଁ । ସାଂସଦ ପ୍ରାର୍ଥୀ ଶ୍ରୀ ମହତାବ ପୁନର୍ବାର ସାଂସଦ ହୋଇ ବ୍ୟକ୍ତିଗତ ରେକର୍ଡ ଭାଙ୍ଗିବାକୁ ଯାଉଥିବା ସେ ପ୍ରକାଶ କରିଛନ୍ତି । ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ବିଜେଡିକୁ ସର୍ବାଧିକ ଭୋଟଦେଇ ନବୀନ ପଟ୍ଟନାୟକଙ୍କୁ ପଞ୍ଚମଥର ମୁଖ୍ୟମନ୍ତ୍ରୀ କରିବାରେ ସହଯୋଗ କରିବା ପାଇଁ ସୌମ୍ୟରଞ୍ଜନ ଆହ୍ୱାନ ଦେଇଛନ୍ତି । ବିଜେଡି ଜିଲ୍ଲା ସଭାପତି ରବିନାରାୟଣ ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି, ବ୍ଲକ୍ ବିଜେଡି ସଭାପତି ଚନ୍ଦ୍ରକାନ୍ତ ବଳିୟାରସିଂ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶିଶିର ସାହୁ, ବରିଷ୍ଠ ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥି, ବ୍ଲକ୍ ଅଧ୍ୟକ୍ଷ ମନୋଜ ପ୍ରଧାନ, ବିଜୟ କୁମାର ନନ୍ଦ, ଦୁର୍ଯ୍ୟୋଧନ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିନିଧି ନିରଞ୍ଜନ ବେହେରାଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଆଜିର ପ୍ରଚାରରେ ସାମିଲ ହୋଇଥିଲେ ।


