ଛତ୍ରପୁର ସବ୍ଜେଲ ବୁଲି ଦେଖିଲେ ବିଭାଗୀୟ ଡିଜି
ଛତ୍ରପୁର,: ଜେଲ୍ ବିଭାଗର ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଗୁରୁବାର ଗଂଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର ସବ୍ ଜେଲକୁ ପରିଦର୍ଶନ କରିଛନ୍ତି । ଛତ୍ରପୁର ସବ୍ ଜେଲର ବିଭିନ୍ନ ଭିତ୍ତିଭୂମି ତଦାରଖ କରିଥିବା ଅନ୍ତେବାସୀଙ୍କ ସେମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ । ଜେଲ୍ର କେତେକ କକ୍ଷ ମରାମତି କରିବାର ରହିଥିବା ବେଳେ ଆଉ କେତେକ କକ୍ଷ ଚଟାଣରେ ଟାଇଲ୍ କାର୍ଯ୍ୟ କରାଯିବାର ରହିଛି । ସେହିପରି ଜେଲ୍ ପରିସରରେ ଆଦର୍ଶ ରୋଷେଇ ଗୃହ ନିର୍ମାଣ କରାଯିବ । ଅନ୍ତେବାସୀଙ୍କ ଖାଦ୍ୟର ମାନଗୁଣକୁ ମଧ୍ୟ ଡିଜି ଶ୍ରୀ ଉପାଧ୍ୟାୟ ନୀରିକ୍ଷଣ କରିଥିଲେ । ଜେଲ୍ ପରିସରରେ ଥିବା ପାଚେରୀକୁ କିଛି ସ୍ଥାନରେ ଉଚ୍ଚା ଓ ନୀଚା କରିବାକୁ କୁହାଯାଇଛି । କେତେକ ଅନ୍ତେବାସୀ ଏହି ଜେଲ୍ରୁ ଅନ୍ୟତ୍ର ଜେଲ୍କୁ ସ୍ଥାନାନ୍ତର ହେବା ପାଇଁ ଡିଜିଙ୍କ ଠାରେ ନିବେଦନ କରିଥିଲେ । ଜେଲ୍ ଭିତରେ ୧୫୭ ଜଣ ଅନ୍ତେବାସୀ ରହୁଥିବା ବେଳେ ସେଥି ମଧ୍ୟରୁ ୬ ଜଣ ମହିଳା ଅନ୍ତେବାସୀ ଅଛନ୍ତି । ମହିଳା ଅନ୍ତେବାସୀଙ୍କ ନିମନ୍ତେ ସମସ୍ତ ପ୍ରକାର ସୁବିଧା ସୁଯୋଗ କରାଯାଇଛି । ଗତ ୬ ତାରିଖରେ ଜେଲ୍ ପାଚେରୀ କବିରାଜ ବେହେରା ନାମକ ଜଣେ ଅନ୍ତେବାସୀ ଚମ୍ପଟ ମାରିଥିବା ବେଳେ ପୁଲିସ ସହାୟତାରେ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ଜଣେ କର୍ମଚାରୀ ଚିତ୍ତ ରଂଜନ ନାୟକଙ୍କୁ ନିଳମ୍ବିତ କରାଯାଇ କାର୍ଯ୍ୟାନୁଷ୍ଠାନ ପରେ ଉକ୍ତ କର୍ମଚାରୀଙ୍କୁ ସୋରଡା ଜେଲ୍ରେ ପୁନଃନିଯୁକ୍ତି ଦିଆଯାଇଛି ବୋଲି ଜେଲ୍ ଡିଜି କହିଛନ୍ତି । ପରେ ନିର୍ମାଣଧୀନ ଜେଲ୍ କ୍ୱାଟର ଗୁଡିକୁ ଡିଜି ତଦାରଖ କରିଥିଲେ । ଡିଜିଙ୍କ ପରିଦର୍ଶନ ବେଳେ ଗଂଜାମ ଏସ୍ପି ବ୍ରିଜେଶ୍ କୁମାର ରାଏ, ବ୍ରହ୍ମପୁର ରେଂଜ ଜେଲ୍ ଡିଆଇଜି ରଘୁନାଥ ମାଝୀ, ଛତ୍ରପୁର ଜେଲ୍ ଅଧୀକ୍ଷକ ଶୁଭସ୍ମିତା ବିଶ୍ୱାଳ, ଉପ ଅଧୀକ୍ଷକ ପ୍ରଫୁଲ କୁମାର କବି ପ୍ରମୁଖ ଉପସ୍ଥିତ ଥିଲେ ।


