ଖାତା କଲମ ବଦଳରେ କୋଦାଳ ଧରୁଥିବା ମେଧାବୀ ଛାତ୍ରୀ ହେବେ ଡାକ୍ତର

ହାଟଡିହି (ଓ୍ବାଇଏନଏସ): ଖାତା କଲମ ବଦଳରେ  କୋଦାଳ ଧରୁଥିବା ମେଧାବୀ ଛାତ୍ରୀ  ଏବେ ଡାକ୍ତର ହେବ।  ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।  ଦେଖାଇଛନ୍ତି ରାଣୀ ହେମ୍ରମ। ଆର୍ଥିକ ଅଭାବ ଅନାଟନ ଭିତରେ ମାଟ୍ରିକ ପରୀକ୍ଷାରେ ୫୧୧ ମାର୍କ ରଖି ଉଚ୍ଚତର ଶିକ୍ଷା ପାଇଁ ଦିନେ ହାତରେ  କୋଦାଳ ଧରି ଶ୍ରମିକ ସାଜି ସଂଘର୍ଷ କରୁଥିଲା ସେହି  ନା ବାଳିକା ଛାତ୍ରୀ ଜଣକ ଆଜି ଡାକ୍ତରୀ ପଢିବା ପାଇଁ ବିବେଚିତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଢେଙ୍କା ପଞ୍ଚାୟତ ବୀଣାପାଟିଆ ଗାଁର ରାଣୀ ହେମ୍ରମ। କରୋନା ସମୟରେ ବାପାଙ୍କ ଦେହାନ୍ତ ହୋଇଯିବାପରେ ମା’ ମାନସିକ ଭାବେ ଭାଙ୍ଗିପଡିଥିବାରୁ ପରିବାର ଚଳାଇବା ତାଙ୍କପାଇଁ କଷ୍ଟକର ହୋଇପଡିଥିଲା। ଘରେ ବିଧବା ମା,  ଭାଇ , ଓ ଆଉଜଣେ ଭଉଣୀଙ୍କ ମୁହଁରେ ଦାନା ଦେବାପାଇଁ ରାଣୀ ନିୟମିତ ମୁଲ ମଜୁରୀ ଲାଗିବାକୁ ଯାଉଥିଲା। ସେ ପାଠପଢ଼ିବାକୁ ବହୁତ ଆଗ୍ରହୀ ଥିବାବେଳେ ପାଢ଼ପଢ଼ି ଜଣେ ଡାକ୍ତର ହେବାକୁ ଆଶା ରଖିଥିଲା।  ସେ ସୋସୋ ଗାଁକୁ କାମ କରିବାକୁ ଯାଉଥିବା ସମୟରେ ହାଟଡିହି ବ୍ଲକ ଅଙ୍ଗନବାଡି ସୁପରଭାଇଜର ନିରୁପମା ରାଉତ ତାଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ । ରାଣୀ ହେମ୍ରମ ଜଣେ ମେଧାବୀଛାତ୍ରୀ ହୋଇବି କିପରି ମୁଲ ମଜୁରୀ ଲାଗି ପରିବାର ଚଳାଉଛି ତାହା ଜାଣିବାକୁ ପାଇଥିଲେ । ସେ ଦିନରେ କାମକରିବା ସହିତ ଘରକୁଯାଇ  ରାତିରେ ପାଠପଢ଼ି କିପରି ସଫଳତା ହାସଲ କରିଛି ସେ ସମ୍ପର୍କରେ ରାଣୀ ନିକଟରୁ ଅଭାବ ଅନାଟନର କାହାଣୀ ଶୁଣିବାପରେ ସେ କିପରି ଉଚ୍ଚଶିକ୍ଷା ପାଇ ପାରିବ ସେନେଇ ସେ ପ୍ରଥମେ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ।  ସେତେବେଳେ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ସଂଗଠନ ସହଯୋଗ କରିବାକୁ ଆଗେଇ ଆସିଥିଲେ। ବିଶେଷ କରି ଯଶୋଦା ମା ଫାଉଣ୍ଡେସନ ର ନିବେଦିତା ଲେଙ୍କା ଙ୍କ ସହଯୋଗ କ୍ରମେ ସେ ଭୁବନେଶ୍ୱରରେ ଯୁକ୍ତ ଦୁଇ ପଢି ସଫଳତା ପାଇଥିଲେ। ପରବର୍ତ୍ତୀ ସମୟରେ ସେ ମେଡିକାଲ କୋଚିଂ ନେଇ ଥିଲେ। ଗତକାଲି ସେ ଷ୍ଟେଟ ରେଙ୍କ ୪୩୮୧ ଏମବିବିଏସ ପଢିବା ପାଇଁ ଚୟନ ହୋଇଛନ୍ତି। ସେ ବଲାଙ୍ଗୀର ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ସୁଯୋଗ ପାଇଛନ୍ତି। ସେ ଡାକ୍ତରୀ ପଢିବା ପାଇଁ କୃତକାର୍ଯ୍ୟ ହୋଇ ଥିବାରୁ ତାଙ୍କ ପରିବାର ସମେତ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।  ତାଙ୍କ ମା ଖୁସିରେ କାନ୍ଦି ପକାଇ ଛନ୍ତି। ସେ କେବେ ଆଶା କରି ନଥିଲେ ଯେ ତାଙ୍କ ଝିଅ ଉଚ୍ଚତର ଶିକ୍ଷା ଗ୍ରହଣ କରି ପାରିବ ବୋଲି।  ସମସ୍ତଙ୍କ ସହଯୋଗ ମିଳିଲେ ସେ ଜଣେ ଭଲ ଡାକ୍ତର ହୋଇ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ରାଣୀ। ଏ ଖବର ପାଇ  ଅଙ୍ଗନବାଡି ସୁପର ଭାଇଜର ଥିବା ନିରୁପମା ରାଉତ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ପ୍ରମୁଖ ତାଙ୍କ ଘରେ ପହଞ୍ଚି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଡାକ୍ତରୀ ପଢିବା ପାଇଁ ସହଯୋଗର ହାତ ବଢ଼ାଇବେ ବୋଲି କହିଛନ୍ତି। ଗରିବ ଅଭାବ ଅନାଟନରେ ରହୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ରାଣୀ ନିଶ୍ଚିତ ପ୍ରେରଣା ଦାୟୀ ହେବ ବୋଲି ନିରୁପମା ରାଉତ କହିଛନ୍ତି। ସେହିପରି ନିବେଦିତା ଲେଙ୍କା ରାଣୀ କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ