ଡ଼ିମିରିଆ ବାଲି ଘାଟରେ ଚଢ଼ାଉ କଲା ଖଣି ବିଭାଗ ୩ଟି ମେସିନ ଓ ଦୁଇ ହାଇୱା ଜବତ
ହାଟଡିହି (ଓ୍ବାଇଏନଏସ) :ବାରମ୍ବାର ଅଭିଯୋଗ ହେବା ପରେ ଖଣି ବିଭାଗର ଚେତା ପଶିଛି। ଆନନ୍ଦପୁର ଉପଖଣ୍ଡରେ ଅନେକ ବେଆଇନ ବାଲିଘାଟ ଚାଲିଥିବା ବେଳେ ଲିଜ ଘାଟରୁ ମଧ୍ୟ ମାତ୍ରାଧିକ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ ପରେ ଗତକାଲି ବିଳମ୍ବିତ ରାତିରେ ଡ଼ିମିରିଆ ବାଲି ଘାଟ ଉପରେ ଚଢ଼ାଉ କରିଛି ଖଣି ବିଭାଗ। ଖଣି ବିଭାଗର ଚଢ଼ାଉ ଦେଖି ହାଇୱା ଚାଳକ ମାନେ ଗାଡି ଛାଡି ପଳାଇଥିଲେ। ବାଲିଘାଟରୁ ବାଲି ଉତ୍ତୋଳନ ବେଳେ ୩ଟି ମେସିନ ଓ ଦୁଇଟି ବାଲି ବୋଝେଇ ହାଇୱା ଜବଦ କରିବାରେ ସଫଳ ହୋଇଥିଲା ଖଣି ବିଭାଗ। ବାଲି ଆଣିବା ପାଇଁ ଯାଇଥିବା ୧୨ଟି ଖାଲି ହାଇୱା ସେଠାରେ ଠିଆ ହୋଇଥିବା ଜଣା ପଡିଛି। ଖଣି ବିଭାଗର ଅଧିକାରୀ ଓ ପୋଲିସ ସେଠାରେ ଉପସ୍ଥିତ ରହିଛନ୍ତି। ପୂର୍ବରୁ ଖଣି ବିଭାଗ ରାସ୍ତାରେ ଚଢ଼ାଉ କରି ଗୋଟିଏ ଦୁଇଟି ହାଇୱା କିମ୍ବା ଟ୍ରାକ୍ଟର ଜବଦ କରୁଥିବା ବେଳେ ପ୍ରଥମଥର ପାଇଁ ବାଲି ଘାଟରେ ପସି ମେସିନ ଜବଦ କରିବାରେ ସଫଳ ହୋଇଛି। ଏପରି ଚଢ଼ାଉ ପରେ ବାଲି ମାଫିଆଙ୍କ ମଧ୍ୟରେ ଛନକା ପସିଛି। ଏଥିପାଇଁ ଆଜି ଓରାଳି ଶାଳଣିଆଁ ରାସ୍ତା ଓ ଅଣା ସମଣା ରାସ୍ତାରେ ବାଲି ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ବୈତରଣୀ ନଦୀର ବିଭିନ୍ନ ଘାଟରୁ ପ୍ରତିଦ୍ବନ୍ଦିତା ଭିତିରେ ବେନିୟମ ଭାବେ ଦୈନିକ ଶହ ଶହ ଭାରିଯାନରେ ବାଲି ପରିବହନ ହେଉଛି। ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି। ଖଣି ବିଭାଗର ଏପରି ଚଢ଼ାଉ କୁ ସ୍ୱାଗତ କରା ଯାଇଛି।


